ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳିତ
ଭୁବନେଶ୍ୱର : ଓଡିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ମହାସମାରୋହରେ ପାଳିତ ହୋଇଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ)ର ବିଭିନ୍ନ ଭୂମିକା ଉପରେ ଆଲୋକପାତ କରିଥିଲେ । ଆଜିର ଦିବସ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ପ୍ରେରଣାଦାୟୀ ହେବାନେଇ ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ରହିଲେ ଦେଶରେ ପ୍ରଗତିର ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ । ଏଥିପ୍ରତି ସରକାର ପ୍ରତି କ୍ଷେତ୍ରରେ ପ୍ରୋସôାହନ ଦେଉଥିବା ସେ ଉଲ୍ଲେଖ କରିଥିଲେ । ମହାକାଶ ଗବେଷଣା ଏକ ସ୍ୱତନ୍ତ୍ର ଅଧ୍ୟୟନ ହୋଇଥିବାରୁ ଏଥିପ୍ରତି ଛାତ୍ରଛାତ୍ରୀ ମାନେ ନୀତିନିଷ୍ଠ ଧ୍ୟାନ ଦେଲେ ଜଣେ ମହାକାଶ ବିଜ୍ଞାନୀ ହୋଇପାରିବ । ରାଜ୍ୟରେ ବିଜ୍ଞାନ ଗବେଷଣା ଓ ବୈଷୟିକ ବିକାଶର ସୁଯୋଗ ରହିଛି ଏବଂ ଓଡିଶା ମହାକାଶ ଉପଯୋଗ କେନ୍ଦ୍ରର ସହଯୋଗ ରହିଥବା ନେଇ ସେ ସୂଚନା ଦେଇଥିଲେ ।
ମୁଖ୍ୟ ବକ୍ତା ଭାବେ ଆଇଆଇଟି, ଭୁବନେଶ୍ୱରର ସହକାରୀ ପ୍ରଫେସର ଡଃ ଦେବଦତ୍ତ ସ୍ୱାଇଁ ଯୋଗଦେଇ ଚଳିତ ବର୍ଷର ଶୀର୍ଷକ "ଆର୍ଯ୍ୟଭଟ୍ଟ ଠାରୁ ଗଗନାୟନ- ପ୍ରାଚୀନ ପ୍ରଜ୍ଞା ଠାରୁ ଅସୀମ ସମ୍ଭାବନା’ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଓଡିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ରଶ୍ମିତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ପରିଶେଷରେ ଓଡିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ)ର ପ୍ରଶାସନିକ ଅଧିକାରୀ ସୋଫି ସାଇନିକା ଧନ୍ୟବାଦ ଅର୍ପଣ କରିଥିଲେ ।