କେରଳରେ ମୌସୁମୀ
ନୂଆଦିଲ୍ଲୀ : ଭାରତୀୟ କୃଷିର ଜୀବନରେଖା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ ମୌସୁମୀ କେରଳରେ ପହଁଚିଛି । ୨୦୦୯ ପରେ ସବୁଠୁ ସଅଳ ଆସିଛି । ଗତ କିଛିଦିନ ଧରି କେରଳରେ ପ୍ରାକ୍ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା । ବିଭିନ୍ନ ଷ୍ଟେସନରେ ନିର୍ଦ୍ଧାରିତ ମାନଦଣ୍ଡର ବର୍ଷା ହେବା ପରେ ଆଇଏମଡ଼ି ପକ୍ଷରୁ ମୌସୁମୀର ଆଗମନ ନେଇ ଘୋଷଣା କରାଯାଇଛି ।
ଚଳିତ ବର୍ଷ ମୌସୁମୀ କେରଳରେ ସପ୍ତାହକ ପୂର୍ବରୁ ପହଁଚିଥିବାରୁ ଓଡ଼ିଶାରେ ବି ସପ୍ତାହେ ପୂର୍ବରୁ ପହଁଚିବାର ସମ୍ଭାବନା ରହିଛି । ସାଧାରଣତଃ ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଆସିଥାଏ । ଚଳିତ ବର୍ଷ ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଗତ ତିନି ଦିନ ଧରି କେରଳର ବିଭିନ୍ନ ଅଞ୍ଚଳରେ ଭଲ ବର୍ଷା ହୋଇଛି । ସମ୍ପ୍ରତି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗରର ଅବଶିଷ୍ଟ ଅଞ୍ଚଳ, କେନ୍ଦ୍ରୀୟ ଆରବସାଗରର ଅନ୍ୟ କିଛି ଅଞ୍ଚଳ, ଲାକ୍ଷାଦ୍ୱୀପ ଅଞ୍ଚଳ, କେରଳର ଅଧିକାଂଶ ଅଞ୍ଚଳ, ତାମିଲନାଡୁ ଦକ୍ଷିଣ ଅଞ୍ଚଳର ଅନେକ ଅଂଶ, କାମୋରିନ୍ ଅଞ୍ଚଳ, ଗଲ୍ଫ ଅଫ ମାନ୍ନାର, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, କେନ୍ଦ୍ରୀୟ ଓ ଉତ୍ତର ପୂର୍ବ ବଙ୍ଗୋପସାଗରର ଆଉ କିଛି ଅଂଶରେ ମୌସୁମୀ ପହଁଚିଛି । ମୌସୁମୀ ପାଇଁ ଅନକୂଳ ପରିବେଶ ରହିଛି । ଆଗାମୀ ଦିନରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗର, କେରଳର ଅବଶିଷ୍ଟ ଅଞ୍ଚଳ, ତାମିଲନାଡୁର ଆଉ କିଛି ଅଞ୍ଚଳ, କର୍ଣ୍ଣାଟକର କିଛି ଅଂଶରେ ମୌସୁମୀ ଛୁଇଁବ । ଅପରପକ୍ଷରେ ଉତ୍ତର ଉପକୂଳ ଓଡ଼ିଶା ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟହୋଇଛି । ଫଳରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଆସନ୍ତା ୨୭ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଜି ବିଭିନ୍ନ ଜିଲ୍ଲାରେ ବର୍ଷା ହେବାରୁ ଅନେକ ଅଞ୍ଚଳରେ ସ୍ୱାଭାବିକ ତାତି ୫ରୁ ୯ ଡିଗ୍ରୀ ପର୍ଯ୍ୟନ୍ତ କମିଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ କେନ୍ଦ୍ରୀୟ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୫ ଡିଗ୍ରୀ କମିଥିବାବେଳେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ତାତି ୨ରୁ ୩ ଡିଗ୍ରୀ ହ୍ରାସପାଇଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୫ରୁ ୯ ଡିଗ୍ରୀ କମିଯାଇଛି । ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପରିଲକ୍ଷିତ ହୋଇଛି । ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବର୍ଷାକୁ ନେଇ କେତେକ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି । ସେହିପରି ଆସନ୍ତାକାଲି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ଓ କେନ୍ଦୁଝରଗଡ଼ରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବ । ଅପରପକ୍ଷରେ ବାଲେଶ୍ୱର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କନ୍ଧମାଳ ଓ ମାଲକାନଗିରିରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩୦ ପର୍ଯ୍ୟନ୍ତ ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡ଼ତୋଫାନ ହେବାର ଆଶଙ୍କା ରହିଛି । ଏଥିପାଇଁ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।