ଦେଶ ବିଦେଶର ଦୃଷ୍ଟି ଆକର୍ଷଣ କରୁଛି ଓଡିଶା ପାଭିଲିୟନ
ନୂଆଦିଲ୍ଲୀ : ଚଳିତ ନଭେମ୍ବର ୧୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଖୋଲାଯାଇଥିବା ଓଡିଶା ପାଭିଲିୟନ ଦେଶ ବିଦେଶର ବୃହତ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଛି । ଚଳିତ ବର୍ଷର ବିଷୟବସ୍ତୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ'ର ସାର୍ଥକତାକୁ ପ୍ରତିପାଦନ କରିବାକୁ ଯାଇ ସ୍ୱଦେଶୀ ଜ୍ଞାନକୌଶଳରେ ଉତ୍ପାଦିତ ଓଡିଶାର କୃଷିଜାତ ସାମଗ୍ରୀ ଠାରୁ ଆରମ୍ଭ କରି ବୟନ ଓ ହସ୍ତଶିଳ୍ପ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ, ଦେଶ ବିଦେଶର ବଡବଡ ବ୍ୟବସାୟୀ ସମେତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଗୁଡିକର ଦୃଷ୍ଟି ଆକର୍ଷଣ କରୁଛି ।
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଏହି ବ୍ୟବସାୟିକ ଅବଧିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଓଡିଶା ପାଭିଲିୟନରେ ଅଂଶଗ୍ରହଣ କରିଥିବା ବରଗଡର ଗୌମୟ ପେଣ୍ଟସ ଇତିମଧ୍ୟରେ ତ୍ରିପୁରାର ଶିଳ୍ପ ବିଭାଗ, ରୋହତକ ହରିୟାନାର ଅରିହନ୍ତ ପେଣ୍ଟସ, ନୂଆଦିଲ୍ଲୀର ଏ.ଏଲ୍.ଏମ୍. ଏଣ୍ଟରପ୍ରାଇଜେସ ଓ ଆର.କେ.ଜି.ଡି. ଏଣ୍ଟରପ୍ରାଇଜେସ ସହିତ ବାର୍ତ୍ତାଳାପ କରିଥିବା ବେଳେ, ନୂଆଦିଲ୍ଲୀର ହରମିତ ସିଂହଙ୍କ ସହିତ ଓଡିଶା ରାଜ୍ୟ ତାଳଗୁଡ ସମବାୟ ସଂଘ ଲିମିଟେଡ ସହିତ ବ୍ୟବସାୟିକ ଆଲୋଚନା କରିଛନ୍ତି । ସେହିପରି ବ୍ରହ୍ମପୁରର ଇଲେଟ କ୍ରଞ୍ଚିସ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ, ପାୱାର ଗ୍ରୀଡ କର୍ପୋରେସନ, ନୂଆଦିଲ୍ଲୀର ଅଶୋକା ହୋଟେଲ ଓ ନଟ୍ ସେକ୍ ସହିତ ବାର୍ତ୍ତାଳାପ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଅଂଶଗ୍ରହଣ କରିଥିବା ମୟୂରଭଞ୍ଜ ଜିଲ୍ଲାର ଯଶିପୁର କୃଷି ଉତ୍ପାଦକ ସଂଘର ଷ୍ଟଲ କେରଳ ରାଜ୍ୟ ସହିତ ଏବଂ ଓରମାସ ତରଫରୁ ତୁମ୍ବା ହସ୍ତଶିଳ୍ପକୁ ନେଇ ମେଳାରେ ଅଂଶଗ୍ରହଣ କରିଥିବା ରାୟଗଡାର ପ୍ରେରଣା ସ୍ୱୟଂ ସହାୟକ ଗୋଷ୍ଠୀ ନୂଆଦିଲ୍ଲୀର ରୁଦ୍ରଶୀଳ ପ୍ରୋଡକ୍ଟ ସହିତ ବାର୍ତ୍ତାଳାପ କରିଛନ୍ତି । ବ୍ୟବସାୟିକ ଅବଧିର ବିଭିନ୍ନ ଦିବସରେ ତ୍ରିପୁରାର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସନ୍ତନା ଚକମା, ମଣିପୁରର ଅତିରିକ୍ତ ଶାସନ ସଚିବ ଅନୁରାଗ ବାଜପେୟୀ ପ୍ରମୁଖ ଓଡିଶା ପାଭିଲିୟନ ପରିଦର୍ଶନରେ ଆସି ସମ୍ପୃକ୍ତ ରାଜ୍ୟମାନଙ୍କ ସହିତ ସେମାନଙ୍କ ବାଣିଜ୍ୟିକ ସମ୍ଭାବନାକୁ ସୁଦୃଢ କରିଛନ୍ତି ।