୧୨ରୁ ଲଘୁଚାପ ବର୍ଷା

୧୨ରୁ ଲଘୁଚାପ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବାବେଳେ ଦିନରେ ଖରା, ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ଆଗକୁ ୨ଟି ଲଘୁଚାପ ହେବାର ଥିବାରୁ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଆସନ୍ତା ୧୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ଓଡ଼ିଶା ତଥା ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେହିପରି ୧୯ ତାରିଖ ବେଳକୁ ଆଉ ଏକ ଲଘୁଚାପ ଓଡ଼ିଶା ଉପକୂଳ ନିକଟରେ ସୃଷ୍ଟି ହୋଇପାରେ। ଏହି ଦୁଇ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ତେବେ ସୋମବାର ୧୧ ତାରିଖ ସାରା ରାଜ୍ୟକୁ ୟେଲୋ ଓ୍ବାର୍ନିଂ ରହିଥିବାବେଳେ ୧୨ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ। ୧୩ ତାରିଖ ବେଳକୁ ପବନର ବେଗ ଅଧିକ ଯୋଗୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ସମୟରେ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।
କେନ୍ଦ୍ରର ସୂଚନାନୁସାରେ, ସୋମବାର ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲାରେ ଅତି ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୨୦ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର. ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ରହିଛି। ଏସବୁ ଜିଲାରେ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି।