ପୁଲିସର ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିନ୍ଦା

ସୌମ୍ୟଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ଏଥିରେ ବିଜେଡ଼ିର ହଜାର ହଜାର କର୍ମୀ ଶାନ୍ତିପୂର୍ଣ୍ଣ ଭାବରେ ଲୋୟର ପିଏମଜି ଠାରେ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ପୁଲିସର ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ଭାଷା ରେ ନିନ୍ଦା କରିଛନ୍ତି ।ଏଭଳି ଅତ୍ୟାଚାରକୁ ଶ୍ରୀ ପଟ୍ଟନାୟକ ବର୍ବରୋଚିତ ବୋଲି ବର୍ଣ୍ଣନା କରିଛନ୍ତି । ଏହି ଘଟଣାରେ ବହୁ ବିଜେଡ଼ି କର୍ମୀ ଓ ସାଧାରଣ ଲୋକ ଆହତ ହେବା ଖବରରେ ସେ ଉଦବେଗ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ମୁହାଁମୁହିଁ ପରିସ୍ଥିତି । ବିଜେଡି କର୍ମୀ ଓ ପୋଲିସ ଧସ୍ତାଧସ୍ତି ।
ପରିସ୍ଥିତି ନିୟନ୍ତ୍ରଣ ପାଇଁ ପାଣିମାଡ଼ ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ । ଏଥିସହ ରବର ବୁଲେଟ ମଧ୍ୟ ମାଡ କରିଛି । ଯେଉଁଥିରେ ଆହତ ହୋଇଛନ୍ତି ଏକାଧିକ ବିଜେଡି କର୍ମୀ । ପାଣିମାଡ, ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ ମାଡ଼ରେ ବବି ଦାସଙ୍କ ସମେତ ଅନେକ ଟାଣୁଆ ନେତା ଆହତ । ବବି ଦାସଙ୍କ ଗୋଡରେ ଲାଗିଛି ଆଘାତ । ତାଙ୍କୁ ଆହତ ଅବସ୍ଥାରେ ଆପୋଲୋ ନିଆଯାଇଥିବା ବେଳେ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।