ପୀଡ଼ିତାଙ୍କୁ ପୁଣି ଅଭିଯୁକ୍ତଙ୍କ ଘରେ ବଳାତ୍କାର
ମଧ୍ୟପ୍ରଦେଶରେ ବଳାତ୍କାର ହୋଇଥିବା ଜଣେ ନାବାଳିକାଙ୍କୁ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ଅଭିଯୁକ୍ତଙ୍କ ପରିବାରକୁ ପଠାଇଥିବାବେଳେ ସେଠାରେ ସେ ପୁନର୍ବାର ବଳାତ୍କାରର ଶିକାର ହୋଇଛନ୍ତି। ଏହି ମାମଲାରେ ପନ୍ନା ଜିଲା ପୋଲିସ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ସମେତ ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଓ୍ବାନ୍ ଷ୍ଟପ୍ ସେଣ୍ଟରର କର୍ମଚାରୀଙ୍କୁ ମିଶାଇ ମୋଟ ୧୦ ଜଣଙ୍କ ନାମରେ ପୋକ୍ସୋ ଆଇନ ଏବଂ ଜୁଭେନାଇଲ୍ ଜଷ୍ଟିସ୍ ଆଇନରେ ମାମଲା ରୁଜୁ କରିଛି।
ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ପୂର୍ବରୁ ୧୭ ବର୍ଷୀୟା ବାଳିକାଙ୍କୁ ଦିଲ୍ଲୀ ନେଇଥିବାବେଳେ ପନ୍ନା କୋଟଓ୍ବାଲି ଥାନାରେ ମାମଲା ରୁଜୁ ପରେ ତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇ ଜେଲ ପଠାଯାଇଥିଲା। ପନ୍ନାରେ ଶିଶୁ ସଂସ୍କାର ଗୃହ ନ ଥିବାରୁ ମାମଲାକୁ ଛତରପୁର ଥାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ସିଡବ୍ଲ୍ୟୁସି ପୀଡ଼ିତାଙ୍କୁ ଅଭିଯୁକ୍ତଙ୍କ ପରିବାରକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଥିଲା। ନାବାଳିକା ପୁନର୍ବାର ବଳାତ୍କାରର ସମ୍ମୁଖୀନ ହେବାରୁ ପୋଲିସ ସିଧାସଳଖ ସିଡବ୍ଲ୍ୟୁସିିକୁ ଦାୟୀ କରିଛି। କମିଟିର ଭୁଲ୍ ନିଷ୍ପତ୍ତି ଏବଂ ଅଧିକାରୀମାନେ ନାବାଳିକାଙ୍କୁ ବିପଦରେ ପକାଇଥିବା ଏସ୍ପି ଶ୍ରୀକ୍ରିଷ୍ଣା ଥୋଟା କହିଛନ୍ତି। ତଦନ୍ତ ଆଧାରରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଭାନୁପ୍ରତାପ ଜଡ଼ିଆ ଓ ସଦସ୍ୟ ଅଞ୍ଜଳି ଭଦୌରିଆ, ଆଶିଷ ବୋଷ୍, ସୁଦୀପ ଶ୍ରୀବାସ୍ତବ ଏବଂ ପ୍ରମୋଦ କୁମାର ସିଂଙ୍କ ନାମରେ ପୋକ୍ସୋ ଆଇନର ଧାରା ୧୭ ଅନୁଯାୟୀ ଅପରାଧ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ସେହିପରି ଓ୍ବାନ୍ ଷ୍ଟପ୍ ସେଣ୍ଟରର ପ୍ରଶାସକ କବିତା ପାଣ୍ଡେ, କାଉନ୍ସେଲର ପ୍ରିୟଙ୍କା ସିଂ ଏବଂ କେସ୍ ଓ୍ବାର୍କର ଶିବାନୀ ଶର୍ମାଙ୍କ ନାମରେ ପୋକ୍ସୋ ଆଇନର ଧାରା ୨୧ରେ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ଜିଲା ମହିଳା ଓ ଶିଶୁ ବିକାଶ ଅଧିକାରୀ ଅଓ୍ବଧେଶ ସିଂଙ୍କ ନାମରେ ପୋକ୍ସୋ ଆଇନ, ଏସ୍ସି-ଏସ୍୍ଟି ଆଇନ ଓ ଭାରତୀୟ ନ୍ୟାୟ ସଂହିତାର ଉପଯୁକ୍ତ ଧାରାରେ ମାମଲା ହୋଇଥିବାବେଳେ ନାବାଳିକାଙ୍କୁ ଦଣ୍ଡ ଦିଆଯିବା ନେଇ ଅଞ୍ଜଳି କୁଶଓ୍ବାଙ୍କ ନାମରେ ଜୁଭେନାଇଲ ଜଷ୍ଟିସ୍ ଆକ୍ଟର ଧାରା ୮୨ରେ ମାମଲା ରୁଜୁ ହୋଇଛି। ସେମାନଙ୍କୁ ଜେରା କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନ ଥିବା ପୋଲିସ କହିଛି।