କାଲିଠୁ ଏମାନେ ଆଉ ପାଇବେନି ରାଶନ !

ଭୁବନେଶ୍ୱର : ରାଶନ କାର୍ଡ ଧାରକଙ୍କ ପାଇଁ ବଡଖବର। ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧୫ରେ E-KYC କରିବାର ଶେଷ ତାରିଖ। ଶେଷ ତାରିଖ ସୁଦ୍ଧା E-KYC କରିନଥିଲେ ରାଶନ କାର୍ଡ ଉପଭୋକ୍ତାଙ୍କ ନାଁ କଟିଯିବ। ସରକାରଙ୍କଠାରୁ ମିଳୁଥିବା ମାଗଣା ଚାଉଳ ଏବଂ ଗହମ ଆଉ ପାଇବାକୁ ସକ୍ଷମ ହେବେ ନାହିଁ। ସରକାରଙ୍କ ପରାମର୍ଶକୁ ଅଣଦେଖା କଲେ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ରାଶନ କାର୍ଡ କାଟିଦିଆଯିବ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର E-KYC ଅବଧି ଫେବୃଆରୀ ୧୫ ଯାଏ ବୃଦ୍ଧି କରିଥିଲେ। ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା। କିଛି ଲୋକ E-KYC କରି ନ ଥିବାରୁ ବୃଦ୍ଧି ପାଇଁ ଦାବି କରିଥିଲେ। ଏହାକୁ ବିଚାର କରି ସରକାର ଏପରି ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ, ଏବେ ରାଶନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ କରାଯାଉଛି। ନାଁ ଏବଂ ଆଧାର କାର୍ଡ ଯାଞ୍ଚ ପରେ ହିତାଧିକାରୀଙ୍କ ଦସ୍ତଖତ ଓ ଟିପଚିହ୍ନ ନିଆଯାଉଛି। କିଛି ସ୍ଥାନରେ ଆଇ ସ୍କାନ ମଧ୍ୟ କରାଯାଉଛି। ପରିବାରର ଯେଉଁ ସଦସ୍ୟଙ୍କ ନାମରେ ରାଶନ ସାମଗ୍ରୀ ମିଳୁଛି, ସେମାନଙ୍କର ଯାଞ୍ଚ କରାଯାଉଛି। ପରେ E-KYC ମାଧ୍ୟମରେ ଡିଲର ଅପଡେଟ କରୁଛନ୍ତି।