ପରୀକ୍ଷା ବାତିଲରେ ସରକାରଙ୍କ ନୂଆ କୀର୍ତ୍ତିମାନ: ବିଜେଡି
ଭୁବନେଶ୍ୱର : ଓଡିଶା ପୁଲିସ ଏସଆଇ ନିଯୁକ୍ତି ପାଇଁ ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ଆଜି ଓପିଆରବି ଦ୍ୱାରା ସ୍ଥଗିତ ରଖାଯିବାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଛାତ୍ର ବିଜୁ ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ଗତ ପନ୍ଦର ମାସର ବିଜେପି ଶାସନରେ ପନ୍ଦର ଥର ନିଯୁକ୍ତି ପାଇଁ ହେଉଥିବା ବିଭିନ୍ନ ପରୀକ୍ଷାକୁ ବାତିଲ କରା ଯାଇଛି, ଯାହା ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଜ୍ୟର ହଜାର ହଜାର ଯୁବକ ମାନେ, ଯେଉଁମାନେ ଚାକିରିଟିଏ ପାଇବା ପାଇଁ ମାସ ମାସ ଧରି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି, ପରୀକ୍ଷା ବାତିଲ ହେବା ପରେ ସେମାନେ ହତୋସôାହିତ ହୋଇ ପଡୁଛନ୍ତି । ଶ୍ରୀମତୀ ସାହୁ କହିଥିଲେ, ଗତ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ହେବାକୁ ଥିବା ପୁଲିସ ଏସଆଇ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ବାତିଲ କରା ଯାଇଥିଲା । ଏହାକୁ ଅକ୍ଟୋବର ୫ ଓ ୬ରେ କରାଯିବ ବୋଲି ଘୋଷଣା କରା ଯାଇଥିଲା । ଏହି ପରୀକ୍ଷା ହେବାକୁ ଏକ ସପ୍ତାହରୁ କମ ସମୟ ଥିବା ବେଳେ, ଆଜି ପରୀକ୍ଷା ପୂର୍ବରୁ ପୂର୍ବ ପ୍ରସ୍ତୁତି ପାଇଁ ଅନେକ ପରୀକ୍ଷାର୍ଥୀଙ୍କୁ ଜାଲିଆତି ପାଇଁ ହାଇଦ୍ରାବାଦ ନିଆ ଯାଉଥିବା ବେଳେ ଧରା ପଡିଥିଲା । ଖୋଦ ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା ଦ୍ୱାରା ୧୦୦ରୁ ଅଧିକ ଆଶାୟୀଙ୍କୁ ନେଇ ହାଇଦ୍ରାବାଦ ଠାରେ କୋଚିଂ ଦେବା ନାମରେ ନିଆ ଯାଉଥିବା ବେଳେ, ଆଜି ତାଙ୍କୁ ବ୍ରହ୍ମପୁର ପୁଲିସ ଧରିଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜେ ଗୃହ ମନ୍ତ୍ରାଳୟର ଦାୟିତ୍ୱରେ ଅଛନ୍ତି । ତେଣୁ, ସେ ଏ ପ୍ରସଙ୍ଗରେ ରାଜ୍ୟବାସୀଙ୍କ ସମ୍ମୁଖରେ ଉତ୍ତର ରଖିବା ଦରକାର ।