ରଥ ନିର୍ମାଣ ଆଗେଇ ଚାଲିଛି

ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଗୁରୁବାର ତିନିରଥରେ ଚଉଦ ନାହାକା ବୁଲିବା ସହ ଚାରିନାହାକାରେ ପ୍ରଥମ ଭୂଇଁ ବା ମୂଳଭୂଇଁ ଉଠିବା ଶେଷ ହୋଇଛି। ତିନି ରଥରେ ଚଉଦ ନାହାକା ଖମ୍ବିିଗୁଡ଼ିକୁ ପ୍ରତି ରଥର ଚାରି ନାହାକାଠାରୁ ଅଢ଼େଇ ଫୁଟ ବ୍ୟବଧାନରେ ଚାରି ନାହାକା ଚାରି ପାଶର୍ବରେ ବୁଲିବା ସହ ପ୍ରଥମ ଭୂଇଁ ଛ’ କାଠିରେ ପାଖୁଡ଼ା ସଂଯୋଗ ହୋଇ ପ୍ରଥମ ଭୂଇଁ ବା ମୂଳ ଭୂଇଁ ଫ୍ରେମ୍ ପଡ଼ିଛି। ଏଥିସହ ତିନି ରଥର ମଝିଭୂଇଁ ବା ଦ୍ୱିତୀୟ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇ ଦ୍ୱିତୀୟ ଭୂଇଁଫ୍ରେମ୍ର ବିଭିନ୍ନ ଅଂଶଗୁଡିକର ନମ୍ବରିଂ ଶେଷ ହୋଇଛି। ଶୁକ୍ରବାର ଏହି ଦ୍ୱିତୀୟ ଭୂଇଁ ଫ୍ରେମ୍ ଖୋଲାଯାଇ ତିନି ରଥରେ ସଂଯୋଗ ସହ ତୃତୀୟ ଭୂଇଁ ବା ଅଗ ଭୂଇଁ ଫ୍ରେମ୍ ନିର୍ମାଣ ହେବ।
ଆଗଆଣି ପଛଆଣି ଦୁଇଟି ଲେଖାଏ କତରା ନିର୍ମାଣ ଶେଷ ପରେ ଦୁଇଟି ଲେଖାଏ ପଛଆଣି କତରା ତିନି ରଥରେ ସେଟିଂ ହୋଇଛି। ରୂପକାର ସେବକମାନେ ସେଥିରେ ୫ଟି ଲେଖାଏ ପଦ୍ମଫୁଲ ଏବଂ ଦୁଇ ପାଶର୍ବରେ ପଦ୍ମ କଢ଼ି ଚିତ୍ର ଅଙ୍କନ ଶେଷ କରି ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଭୋଇ ସେବକମାନଙ୍କ ପାଇଁ ଦୁଇଟି ଲେଖାଏ ୨୦ ଫୁଟିଆ ସାଙ୍ଗି ନିର୍ମାଣ ସରିଛି। କନକମୁଣ୍ଡି, ଅଁଳାପିଣ୍ଡି ଏବଂ କଳସପିଣ୍ଡି ନିର୍ମାଣ ସରିଛି। ତିନିରଥ ସମ୍ମୁଖ ଭାଗ ବ୍ରେକ ଚକଗୁଡ଼ିକର ଉଭୟପାଶର୍ବରେ ପଇ, ପଇ ସଂଯୋଗ ସ୍ଥାନରେ ଲୁହାପ୍ଲେଟ ମାନ ନଟ୍ ବୋଲ୍ଟ ଦେଇ ଫିଟିଂ କରାଯାଇଛି। ନାଟଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ସହ ଧୂଳିଦଣ୍ଡାରେ ଚିତ୍ର ଖୋଦେଇ ଚାଲିଛି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ କତରା କଣ୍ଟା ନିର୍ମାଣ ଶେଷ କରି ଦ୍ୱିତୀୟ ଭୂଇଁ, ତୃତୀୟ ଭୂଇଁ କଣ୍ଟା ସହ ପୋଟଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ପାହି ମହାରଣାମାନେ ଅଣସର ପାଇଁ ଅଣସର କୁଣ୍ଡ ଘୋଡ଼ିଆ ସହ କାଠ, ବାଉଁଶ ସାମଗ୍ରୀ ଯୋଗାଇ ସାରି ଗୁଣ୍ଡିଚା ଘର ଗରୁଡ଼ ମହାପ୍ରଭୁଙ୍କ ସ୍ନାନ ଓ ବେଶ କାର୍ଯ୍ୟ ପାଇଁ କାଠ ନିର୍ମିତ ନିଶୁଣି, ବେଶ ଘୋଡ଼ିଆ, ଚାଙ୍ଗଡ଼ା ଷ୍ଟାଣ୍ଡ, ବାଉଁଶ କାଠି ଏବଂ ଶିଡ଼ି ନିର୍ମାଣ ଜାରି ରଖିଛନ୍ତି। ଅନ୍ୟପକ୍ଷେ ରଥଯାତ୍ରାକୁ ଆଉ କିଛିଟା ଦିନ ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି।