ରଥଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ର ଚଳଚଞ୍ଚଳ
ଭୁବନେଶ୍ୱର : ଦିନକ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା । ତିନିରଥରେ ବିଜେକରି ପ୍ରଭୁ ବଳଭଦ୍ର, ମା ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ । ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ କିଟ୍ ଜଗନ୍ନାଥ ମନ୍ଦିର ଶ୍ରୀବାଣୀକ୍ଷେତ୍ରରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀବାଣୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ମହାପ୍ରଭୁଙ୍କ ଘୋଷଯାତ୍ରାକୁ ସୁରୁଖୁରୁରେ ଶାନ୍ତିଶୃଙ୍ଖଳାର ସମ୍ପନ୍ନ କରିବା ନିମନ୍ତେ ଇତି ମଧ୍ୟରେ କିଟ୍ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ପହଣ୍ଡିଠାରୁ ଆରମ୍ଭ କରି ଛେରାପହଁରା, ରଥଟଣା ପର୍ଯ୍ୟନ୍ତ ସମସ୍ତ ରୀତିନୀତି ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ ଶ୍ରୀ ସାମନ୍ତ ପରାମର୍ଶ ଦେଇଥିଲେ । ଆଜି ଶ୍ରୀଜୀଉଙ୍କ ନେତ୍ରୋସôବ ଓ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଆସନ୍ତାକାଲି ସକାଳ ୧୦ଘଣ୍ଟା ସମୟରେ ପହଣ୍ଡି, ଅପରାହ୍ନ ୩ଟାରେ ଛେରାପହଁରା ନୀତି ସମାପନ କରାଯାଇ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ନୀତି ନିର୍ଘଣ୍ଟ ହୋଇଛି । ଜୁଲାଇ ୪ ତାରିଖରେ ଶ୍ରୀଜୀଉଙ୍କ ନବମୀ ସଂଧ୍ୟା ଦର୍ଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ୫ ତାରିଖରେ ବାହୁଡା ଯାତ୍ରା, ୬ରେ ସୁନାବେଶ ଓ ୭ ତାରିଖରେ ଅଧରପଣା ନୀତି ଅନୁଷ୍ଠିତ ହେବ । ନବଦିନ ବ୍ୟାପୀ ଶ୍ରୀଜୀଉଙ୍କ ଏହି ଯାତ୍ରା ସମୟରେ ଜୁନ୍ ୨୮ ତାରିଖରୁ ଗୁଣ୍ଡିଚା ମନ୍ଦିରଠାରେ ପ୍ରତିଦିନ ସଂଧ୍ୟାରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ସମାରୋହ ଆୟୋଜନ ହେବ । ଏହା ଛଡା ଗୁଣ୍ଡିଚା ମନ୍ଦିରରେ ମୀନବଜାର ବସିବାର ବ୍ୟବସ୍ଥା କରାଯାଇଛି । ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ମନ୍ଦିରର ସମସ୍ତ ରୀତିନୀତି ଅନୁଯାୟୀ ଶ୍ରୀବାଣୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ସମସ୍ତ ଦେବନୀତି ଓ ପର୍ବ ପର୍ବାଣୀ, ମହାପ୍ରଭୁଙ୍କ ଯାନିଯାତ୍ରା ଅନୁଷ୍ଠିତ ହୋଇଥାଏ । ରଥଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ରଠାରୁ ଶିଖରଚଣ୍ଡୀ ମନ୍ଦିର ପାଦଦେଶରେ ଅବସ୍ଥିତ ଗୁଣ୍ଡିଚାମନ୍ଦିର ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଶ୍ରୀବାଣୀକ୍ଷେତ୍ର ରଥଯାତ୍ରାରେ ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି ।