ପୁରୀରେ ବଡ଼ ଅଘଟଣ: ସେବାୟତଙ୍କ ବିସ୍ଫୋରକ ବୟାନ

ପୁରୀ: ସକାଳୁ ସକାଳୁ ପୁରୀରେ ଘଟିଛି ବଡ଼ ଅଘଟଣ। ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ। କାଳିକା ଦର୍ଶନ କରିବାକୁ ଆସି ଠେଲାପେଲାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି। ୩ଜଣଙ୍କ ମୃତ୍ୟୁ ହେବା ସହ ୫୦ ଆହତ ହୋଇଛନ୍ତି। ତେବେ ଏହି ବଡ଼ ଅଘଟଣର ଅସଲ କାରଣ ସାମ୍ନାକୁ ଆସିଛି। ପ୍ରତକ୍ଷଦର୍ଶୀଙ୍କ କହିବାନୁସାରେ ପୁରୀ ଶରଧାବାଲିରେ ଠେଲାପେଲାବେଳେ ପୋଲିସ ନ ଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନ ଥିଲା। ଏହି ସମୟରେ ଭକ୍ତଙ୍କ ଭିଡ଼ ଭିତରେ ୨ଟି ଟ୍ରକ ପଶିଥିଲା। ଟ୍ରକ ପଶିବା ଯୋଗୁ ଠେଲାପେଲା ହୋଇଥିଲା।
ହଜାର ହଜାର ଶ୍ରଦ୍ଧାଳୁ ରଥ ଉପରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଏକାଠି ହୋଇଥିବା ବେଳେ ଅତ୍ୟଧିକ ଭିଡ଼ ଓ ଠେଲାପେଲା ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।
ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ଭୋର ୪ ରୁ ୫ ମଧ୍ୟରେ ଘଟିଥିଲା, ଯେତେବେଳେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମନ୍ଦିର ନିକଟରେ ପହଞ୍ଚିଥିଲା। ଭିଡ଼ ମଧ୍ୟରେ ଅନିୟନ୍ତ୍ରିତ ଠେଲାପେଲା ଯୋଗୁଁ ଅନେକ ଶ୍ରଦ୍ଧାଳୁ ପଡ଼ିଯାଇଥିଲେ, ଯାହା ଏହି ମର୍ମନ୍ତୁଦ ଘଟଣାରେ ପରିଣତ ହୋଇଥିଲା। ଆହତମାନଙ୍କୁ ତୁରନ୍ତ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।
ଏହି ଘଟଣା ସମ୍ପର୍କରେ ଜଣେ ବରିଷ୍ଠ ସେବାୟତ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ, ପ୍ରଶାସନର ଅପାରଗତା ଏହି ଦୁର୍ଘଟଣାର ମୁଖ୍ୟ କାରଣ। ଚଳିତ ରଥଯାତ୍ରାରେ ପୂର୍ବପେକ୍ଷା ଅତ୍ୟଧିକ ଲୋକ ଆସିଛନ୍ତି। ଏହାକୁ ପୋଲିସ ବାହିନୀ ନିୟନ୍ତ୍ରଣ କରିବା କଥା। ଲକ୍ଷଲକ୍ଷ ଲୋକ ସୁନାବେଶରେ ଆସୁଛନ୍ତି। କିନ୍ତୁ ଏପରି ଘଟଣା ଘଟୁନି। କିନ୍ତୁ ଆଜି ଦର୍ଶନ କରିବାକୁ ଆସି ଗୋଟିଏ ଯାଗାରେ ଆସି ରୁଣ୍ଡ ହେଲେ। ହେଲେ ପୋଲିସ ଏହାକୁ ନିୟନ୍ତ୍ରଣ କରିପାରୁନି। ସେ ଅଭିଯୋଗ କରିଛନ୍ତି ଯେ ଭିଡ଼ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା, ଯାହା ଏପରି ଅଘଟଣକୁ ଡାକି ଆଣିଥିଲା।