ଜଗନ୍ନାଥଙ୍କ ତାନ୍ତ୍ରିକ କହି ଲୁଟୁଥିଲା ଅଜିତ୍‌

ଜଗନ୍ନାଥଙ୍କ ତାନ୍ତ୍ରିକ କହି ଲୁଟୁଥିଲା ଅଜିତ୍‌

ଭୁବନେଶ୍ୱର : ଦେଶର ପ୍ରସିଦ୍ଧ ଠକ ଅଜିତ୍‌ ପାତ୍ରକୁ ନେଇ ଏବେ ଆଲୋଡ଼ନ ସୃଷ୍ଟିହୋଇଛି । ଜମି କାରବାର ହେଉକି ଚାକିରୀ, ପଦୋନ୍ନତି ହେଉକି ବଦଳି, ସବୁଥିରେ ଦଲାଲି କରୁଥିଲା ଅଜିତ୍‌ । ଆଉ ସବୁଠାରୁ ବଡ଼ କଥା ହେଉଛି, ଅଜିତ୍‌ ନିଜକୁ ଜଗନ୍ନାଥଙ୍କ ତାନ୍ତ୍ରିକ ବୋଲି କହୁଥିଲା । ଅନେକ ତାକୁ ଗୁରୁଜୀ ବୋଲି ଜାଣୁଥିଲେ । ନିଜ ଦଲାଲ ସହଯୋଗୀଙ୍କ ଜରିଆରେ ଅଜିତ୍‌ ନିଜର ଏମିତି ପ୍ରତିବିମ୍ବ ପ୍ରତିଫଳିତ କରୁଥିଲା । ସେଥିପାଇଁ ସେ ପ୍ରତି ଶନିବାର ପୁରୀ ଯାଉଥିଲା । ତା’ର ଫଟୋ ଛାଡ଼ି ଅନ୍ୟମାନଙ୍କ ମନରେ ତାନ୍ତ୍ରିକ ବୋଲି ବିଶ୍ୱାସ ବି ଜନ୍ମାଉଥିଲା ।


       ଏସବୁ ଭିତରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଠକ ଅଜିତ୍‌ର ଚିଟଫଣ୍ଡ ଲିଙ୍କ ବି ଥିଲା । ଏସଆଇ ସ୍କାମର ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟିର ଡାହାଣ ହାତ ଥିଲା ମଙ୍ଗୁଳି ପାତ୍ର । ଅଜିତ୍‌ର ବି ତା’ ସହ ନିଘନ ସମ୍ପର୍କ ରହିଥିଲା । ଖାଲି ସେତିକିନୁହେଁ ଖୋର୍ଦ୍ଧାର ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତ ସହ ବି ଅଜିତ ସମ୍ପର୍କ ରଖିଥିଲା । ସେହି ଚିଟଫଣ୍ଡ ଠକ ଏକ ଅଭ୍ୟାସଗତ ଠକ ଭାବେ ପରିଗଣିତ । ଭୁବନେଶ୍ୱର ନୀଳାଦ୍ରି ବିହାର ଘର ଉପରେ ଆଇଟି ରେଡ଼୍‌ ହେଲେ ଅନେକ ଆୟ ବର୍ହିଭୂତ ସମ୍ପତ୍ତି ସଂକ୍ରାନ୍ତରେ ବି ଖବର ମିଳିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।


       ଅଜିତ ଏବେ ସିବିଆଇ ହେପାଜତରେ ଥିବାବେଳେ ସିବିଆଇ ଅଧିକାରୀମାନେ ଯେତେ ଖୋଳୁଛନ୍ତି ସେତେ ଆଶ୍ଚର୍ଯ୍ୟଜନକ ତଥ୍ୟ ପାଇବାରେ ଲାଗିଛନ୍ତି । ଏନେଇ ବିଭିନ୍ନ ଗଣମାଧ୍ୟମରେ ଫର୍ଦ୍ଦ ଫର୍ଦ୍ଦ ଖବର ବି ପ୍ରକାଶ ପାଉଛି । ଅବଶ୍ୟ ଅଜିତର ଜାତକରେ ହିଁ ଠକାମୀ ଲେଖା ହୋଇଥିଲା ବୋଲି କୁହାଯାଉଛି । କାହିଁକିନା ୧୫ ବର୍ଷ ତଳେ ସେ ବଲାଙ୍ଗୀରରେ ସେକ୍ସ ର‍୍ୟାକେଟ୍‌ ଚଳାଉଥିଲା ବୋଲି ଖବର ପ୍ରକାଶ ପାଇଛି । ସେକ୍ସ ର‍୍ୟାକେଟ୍‌ ଚଳାଉ ଚଳାଉ ଅଜିତର ଖଣି ମାଫିଆଙ୍କ ସହ ବି ନିଘନ ସମ୍ପର୍କ ଗଢ଼ି ଉଠିଥିଲା । ଟଙ୍କା ରୋଜଗାର କରିବା ପରେ ସେ ଥାଟ ବାଟ ଦେଖାଇବା ଆରମ୍ଭ କରିଥିଲା । ଠକେଇ କରି ଏତେ ଟଙ୍କା ରୋଜଗାର କରିଥିଲାଯେ, ତା’ର ନୀଳାଦ୍ରି ବିହାର ଘର ଦେଖିଲେ ଯେକେହିବି ତାଜୁବ ହୋଇଯିବ । ରାଜା ରାଜୁଡ଼ା ବା ଜମିଦାରଙ୍କ ଭଳି ସେ ଲଗାଇଥିଲା ପିତଳ କବାଟ । ଘରେ ଦାମୀ ବ୍ରାଣ୍ଡର ଇଣ୍ଟେରିୟର । ଏମିତି ତା’ର ଅନେକ ଘର ଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସହିଦନଗର ବିଏମସି ମଲରେ ତା’ର କର୍ପୋରେଟ୍‌ ଅଫିସ୍‌ ଥିବାବେଳେ ଦିଲ୍ଲୀର ଅନେକ ଆପାର୍ଟମେଣ୍ଟରେ ତା’ର ଫ୍ଲାଟ ଥିବା ଚର୍ଚ୍ଚା ହେଉଛି । ଅନେକ ବଡ଼ବଡ଼ିଆଙ୍କ ଜରିଆରେ ଅଜିତ୍‌ ତା’ର ଠକେଇ ଜାଲ ବିଛାଇଥିଲା । ଏବେ ଅଜିତକୁ ସିବିଆଇ ଘାଣ୍ଟୁଥିବାରୁ ନେତା, ମନ୍ତ୍ରୀ ଓ ବଡ଼ବଡ଼ିଆଙ୍କ ମନରେ ଛନକା ପଶିଯାଇଛି । କାଳେ ହ୍ୱାଟସଆପ କଲ୍‌ରେ ସେମାନଙ୍କ ନାଁ ଯଦି ବାହାରେ ତେବେ ସିବିଆଇ ସେମାନଙ୍କୁ ଡାକିଲେ ଆଶ୍ଚର୍ଯ୍ୟ ହେବାର ନାହିଁ ।