କଟକ ଦହିବରାର ନିଆରା ସ୍ୱାଦ : କେବେ ମିଳିବ ଜିଆଇ ମାନ୍ୟତା?

କଟକ ଦହିବରାର ନିଆରା ସ୍ୱାଦ :  କେବେ ମିଳିବ ଜିଆଇ ମାନ୍ୟତା?

କଟକ : ଓଡ଼ିଶାର ସାଂସ୍କୃତିକ ରାଜଧାନୀ ହେଉଛି କଟକ । ପରମ୍ପରା ଠାରୁ ଆରମ୍ଭ କରି ଖାନା ଖଜାନା ପର୍ଯ୍ୟନ୍ତ ଏଠାରେ ସବୁଠି କିଛି ନା କିଛି ସ୍ୱତନ୍ତ୍ରତା ଦେଖିବାକୁ ମିଳିଥାଏ । ତନ୍ମଧ୍ୟରୁ ଚଟପଟୀ ଖାଦ୍ୟ ମଧ୍ୟରେ କଟକ ଦହିବରାର ସ୍ୱାଦ ନିଆରା । ଏପରିକି ୧୯୮୧ ମସିହାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଅକ୍ଷୀତୃତୀୟାରେ ‘ଆସ କିଏ ଖାଇବ ହୋ, ଆମ ରାଜା ବାବୁଘର ଖାନା’ ଗୀତରେ କଟକୀ ଦହିବରାର ସ୍ୱାଦ ନିଖୁଣ ଭାବେ ଉପସ୍ଥାପନା କରାଯାଇଥିଲା । ମୁଖ୍ୟତଃ ସବୁ ପିଢ଼ିର ଲୋକଙ୍କୁ କଟକୀ ଦହିବରା ଆଳୁଦମ ଆକୃଷ୍ଟ କରିଥାଏ । ତେଣୁ କଟକର ସାହି ବସ୍ତିଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବର୍ଷତମାମ ଦହିବରା ବିକ୍ରୟ ହୋଇଥାଏ । କଟକ ପ୍ରସିଦ୍ଧ ଦହିବରା ଆଳୁଦମକୁ ଅଦ୍ୟାବଧି ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ) ମାନ୍ୟତା ମିଳିପାରି ନାହିଁ । ଏ ଦିଗରେ ପ୍ରଶାସନିକ ସ୍ତରରେ ମଧ୍ୟ ଆନ୍ତରିକତା ଦେଖିବାକୁ ମିଳୁନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ସହରର ବିଡ଼ାନାସୀ ଛକ, ଷ୍ଟାଡ଼ିୟମ ନିକଟସ୍ଥ ଉପର ବାଲିଯାତ୍ରା ପଡ଼ିଆ, ବିଜୁ ପଟ୍ଟନାୟକ ଛକ, ମଣିସାହୁ ଛକ, ବାଦାମବାଡ଼ି, ଦୋଳମୁଣ୍ଡେଇ ଛକ ପ୍ରଭୃତି ଅଂଚଳରେ ଷ୍ଟଲ କିମ୍ବା ଠେଲା ଗାଡ଼ି ଲଗାଇ ବେପାରୀମାନେ ସକାଳୁ ରାତି ପର୍ଯ୍ୟନ୍ତ ଦହିବରା ବିକ୍ରି କରିଥାନ୍ତି । ଗୋଟିଏ ହାପପ୍ଲେଟର ଦାମ ୩୦ ଟଙ୍କା ରହିଥିବା ବେଳେ ଫୁଲ ପ୍ଲେଟ ଦହିବରା ଆଳୁଦମର ଦାମ ୫୦ଟଙ୍କା ରହିଛି । ଗୋଟିଏ ପ୍ଲେଟରେ ପରସା ଯାଇଥାଏ କେତୋଟି ଖଟାମିଠା ଦହିବରା, ଘୁଗୁନି, ମସଲା ଆଳୁଦମ, ଛଣା ସେଉ, ପିଆଜ ଗୁଣ୍ଡ, ବିଭିନ୍ନ ମସଲା ଗୁଣ୍ଡ, ଲଙ୍କା ଗୁଣ୍ଡ, ଦହି, ପୋଦିନା ଚଟଣୀ ଓ ଆବଶ୍ୟକ ଅନୁଯାୟୀ ଲୁଣ । ଖାଇସାରିବା ପରେ ଗରାଖ ମାନଙ୍କୁ ସ୍ୱାଦିଷ୍ଟ ଦହିପାଣି ମଧ୍ୟ ପରସା ଯାଇଥାଏ । ଦହିବରା ପ୍ରସ୍ତୁତିରେ ବେପାରୀମାନଙ୍କୁ ସେମାନଙ୍କ ପରିବାରବର୍ଗଙ୍କ ସହିତ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ ବୋଲି ଦହିବରା ଷ୍ଟଲର ମାଲିକ ଈଶ୍ୱର ବେହେରା କହିଛନ୍ତି । 

କଟକର ଦହିବରା ଆଳୁଦମର ନିଆରା ସ୍ୱାଦ ଓ ସ୍ୱତନ୍ତ୍ରତା ହେତୁ ଏହାକୁ ଜିଆଇ ମାନ୍ୟତା ଦେବା ପାଇଁ ଦାବି ଉଠିଛି । କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଓଡ଼ିଶା ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସାରିଛନ୍ତି । ମାତ୍ର ସରକାରଙ୍କ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ । କଟକରେ ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ଦହିବରା ଦିବସ ରୂପେ ପାଳନ କରାଯାଇଥାଏ । କଟକର ଦହିବରା ଉତ୍ପତ୍ତି ବିଡ଼ାନାସୀରୁ ହୋଇଥିବା କୁହାଯାଇଥାଏ । ୧୯୬୦ ଦଶକରେ ଦହିବରା ସହରର ବାରବାଟୀ ଦୁର୍ଗ ନିକଟରେ ବିକ୍ରି ହେଉଥିଲା । ଯଦିଓ ଏହାର ଢେ଼ର ପୂର୍ବରୁ କଟକ ସହରର ହାତଗଣତି କିଛି ପୁରୁଣା ବ୍ୟବସାୟୀ ଭାରରେ ଦହିବରା ବୋହି ବୁଲିବୁଲି ବିକ୍ରି କରୁଥିଲେ । ଏହାର ପ୍ରକୃଷ୍ଟ ଉଦାହରଣ ଥିଲେ ସ୍ୱର୍ଗତ ରଘୁନାଥ ସାମଲ ଓରଫ ରଘୁ ମଉସା । ବର୍ତ୍ତମାନ କଟକରେ ପ୍ରାୟ ୨୦୦୦ରୁ ଅଧିକ ବ୍ୟବସାୟୀ ଦହିବରା ପ୍ରସ୍ତୁତ ଓ ବିକ୍ରି କରୁଛନ୍ତି । ଈଶ୍ୱର, ଧଡ଼ିଆ, କୁନିଆ, ଦିଜ, କାଳିଆ, ଠୁସି, ତ୍ରିନାଥ, ବାଟୁଆ, ପୁନାଙ୍କ ଭଳି ଅନେକ ଲୋକପ୍ରିୟ ଦହିବରା ବ୍ୟବସାୟୀ ଗରାଖମାନଙ୍କ ମନ ଜିତିଛନ୍ତି । ପ୍ରତିଦିନ କୋଟିଏ ଟଙ୍କାର ଦହିବରା ବେପାର ହେଉଛି । ଦହିବରାକୁ ଜିଆଇ ମାନ୍ୟତା ମିଳିଲେ କଟକର ସାଂସ୍କୃତିକ ପରିଚୟ ଅଧିକ ସୁଦୃଢ଼ ହେବ ଓ ଏହାର ବିଶ୍ୱବ୍ୟାପୀ ପ୍ରଚାର ପ୍ରସାରରେ ସହାୟକ ହେବ । ସଂପ୍ରତି ଦହିବରା ଆଳୁଦମର ଜିଆଇ ମାନ୍ୟତା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବା ଜରୁରୀ ବୋଲି ବହୁ କଟକିଆ ମତ ଦିଅନ୍ତି ।