ଅଶୋକସ୍ତମ୍ଭକୁ ମନଇଚ୍ଛା କରାଯାଇପାରିବ ନାହିଁ ବ୍ୟବହାର !

ଭୁବନେଶ୍ୱର : ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନ ଅଶୋକସ୍ତମ୍ଭକୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ। ଯଦି କୌଣସିଠାରେ ଏହାର ଅପବ୍ୟବହାର କରାଯାଉଥିବ ତେବେ ସେଠାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତର ଜାତୀୟ ଚିହ୍ନ ଆଇନ-୨୦୦୫ ଏବଂ ନିୟମ-୨୦୦୭ ଓ ସଂଶୋଧନ ଆଇନ-୨୦୧୦ ଅନୁଯାୟୀ ଜାତୀୟ ଚିହ୍ନ ସରକାରୀସ୍ତରରେ ବ୍ୟବହାର ହୋଇପାରିବ। ଏହି ମର୍ମରେ ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମସଚିବ ଜି. ପାର୍ଥସାରଥି ମୁଖ୍ୟଶାସନ ସଚିବଙ୍କୁ ଅବଗତ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରାଜ୍ୟ ସରକାରଙ୍କ ଗୃହବିଭାଗ ଯୁଗ୍ମସଚିବ ଶରତ ଚନ୍ଦ୍ର ମାରାଣ୍ଡି ୨୯ ମାର୍ଚ୍ଚରେ ସବୁ ଆର୍ଡିସି ଓ ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଥିବାବେଳେ ଚଳିତମାସ ୧୭ରେ ଜଳସମ୍ପଦ ବିଭାଗ ପକ୍ଷରୁ ଅଧସ୍ତନ ଅଧିକାରୀଙ୍କୁ ପତ୍ର ଲେଖି ଅବଗତ କରାଯାଇଛି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମସଚିବ ପାର୍ଥସାରଥି ପତ୍ରରେ ଦର୍ଶାଇଥିଲେ, ଭାରତର ଜାତୀୟ ଚିହ୍ନ ତିନୋଟି ଅଶୋକସ୍ତମ୍ଭ ସହିତ ଅଶୋକଚକ୍ର ଓ ସତ୍ୟମେବ ଜୟତେ(ଦେବନାଗରୀ ଭାଷା) ନିର୍ଦ୍ଦିଷ୍ଟ ଭାବେ ସରକାରଙ୍କ ନିୟମ ଅନୁଯାୟୀ ରହିବା କଥା, ହେଲେ କେତେଜଣ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଏହାର ଉଲ୍ଲଂଘନ କରୁଥିବା ନଜରକୁ ଆସିଛି। କେତେକ ସ୍ଥାନରେ ଅଶୋକସ୍ତମ୍ଭ ତଳେ ସତ୍ୟମେବ ଜୟତେ ଦେବନାଗରୀ ଭାଷାରେ ଉଲ୍ଲେଖ ରହୁନାହଁି, ଯାହା କି ଜାତୀୟ ଚିହ୍ନ ପ୍ରତି ଅବମାନନା ହେଉଛି। ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ନିୟମକୁ ଠିକଣା ଭାବେ ପାଳନ କରିବା ଲାଗି ସେ ଦର୍ଶାଇଛନ୍ତି।