ରିଲ୍ସ କରିବା ବେଳେ ଭାସିଗଲେ... ଜଣେ ମୃତ, ଜଣେ ନିଖୋଜ 

 କୋଷାଗୁମୁଡା:  ପୁଣି ରିଲ୍ସ କରିବାର  ନିଶା ଜୀବନ ନେଇଛି  । ରିଲ୍ସ କରିବା ବେଳେ ଦୁଇ ସାଙ୍ଗ ଭାସି ଯାଇଛନ୍ତି  । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣେ ଏବେବି ନିଖୋଜ ଅଛନ୍ତି  । ରବିବାର ଜଳପ୍ରପାତ ନିକଟରେ ରିଲ୍ସ କରିବା ସମୟରେ ପାଣିରେ ବୁଡି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମାର ମିର୍ଗାନ ସାହିର ଦୁଇ ନାବାଳକ କୋଟପାଡ ଥାନା ଚାନ୍ଦିଲି ନିକଟ ଗୁଲ୍ମୀ ଜଳପ୍ରପାତରେ ଭାସି ଯାଇଥିବା ସୂଚନା ମିଳିଛି  । ଦୁଇ ନାବାଳକ କିରନ ମୀର୍ଗାନ(୧୬) ଓ ଆଲୋକରାଜ ସୁନା(୧୬) ବୋଲି ଜଣାପଡିଛି  । ମିଳିଥିବା ସୂଚନା ଅନୁଯାୟୀ, କୋଷାଗୁମୁଡା ଗ୍ରାମର ୫ ଜଣ ସାଙ୍ଗ ଦୁଇ ବାଇକରେ ଗୁଲ୍ମୀ ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ  । ଜଳପ୍ରପାତ ନିକଟରେ ପରିଭ୍ରମଣ ସହ ରିଲ୍ସ କରୁଥିବା ବେଳେ ଦୁଇ ଜଣ ବାଳକ ଅଲୋକ ଓ କିରଣ ଜଳ ସ୍ରୋତରେ ଭାସି ଯାଇଥିଲେ  । ଗୁଲମୀ ନିକଟରେ ନେଟୱର୍କ ସୁବିଧା ନଥିବା ହେତୁ ବହୁତ କଷ୍ଟରେ ଅନ୍ୟ ତିନିଜଣ ସାଙ୍ଗ ପରିବାର ଲୋକ ଓ ସ୍ଥାନୀୟ ପୁଲିସ, ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବର୍ତ୍ତମାନ କୋଷାଗୁମୁଡାରୁ ପରିବାର ଓ ସମ୍ପର୍କୀୟଙ୍କ ସହ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣା ଉପରେ ଅନୁସନ୍ଧାନ ଚାଲିଥିବା ଜଣାପଡିଛି । ଦୁଇ ସାଙ୍ଗ ଚଳିତ ବର୍ଷ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଦୁହେଁ ଅତି ଘନିଷ୍ଠ ବନ୍ଧୁ ଥିଲେ । ରିପୋର୍ଟ ଲେଖା ହେବାବେଳକୁ  ଜଣକର ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।