ମଧ୍ୟପ୍ରାଚ୍ୟ ଆଡ଼କୁ ଆମେରିକା ଯୁଦ୍ଧ ଜାହାଜ
ନୂଆଦିଲ୍ଲୀ : ଇସ୍ରାଏଲ-ଇରାନ୍ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଇସ୍ରାଏଲର ଘନଘନ ଆକ୍ରମଣରେ ଇରାନ୍ ଥରହର ହୋଇଯାଇଛି । ଇରାନ୍ କଡ଼ା ଜବାବ ଦେବା ପାଇଁ ଯୋଜନା କରୁଥିବାବେଳେ ଏବେ ଆମେରିକାର ଯୁଦ୍ଧ ଜାହାଜ ମଧ୍ୟପ୍ରାଚ୍ୟ ଅଭିମୁଖେ ମୁହାଁଇଛି । ଇରାନ୍ ଉପରେ ଚାପ ସୃଷ୍ଟି ପାଇଁ ଆମେରିକା ଏଭଳି ରଣନୀତି କରିଥିବା କୁହାଯାଉଛି । ଆମେରିକାର ଯୁଦ୍ଧ ଜାହାଜ ୟୁଏସଏସ ନିମିଟିଜ୍ ଦକ୍ଷିଣ ପୂର୍ବ ଏସିଆରୁ ମଧ୍ୟପ୍ରାଚ୍ୟ ଆଡ଼କୁ ମୁହାଁଇଛି । ପୂର୍ବରୁ ଏହା ଭିଏତନାମ ଯିବବୋଲି ଧାର୍ଯ୍ୟ କରାଯାଇଥିବାବେଳେ ଏହି ଯୋଜନା ବାତିଲ୍ କରାଯାଇଛି । ଏବେ ଭାରତ ମହାସାଗରରେ ଆମେରିକାର ଯୁଦ୍ଧ ଜାହାଜ ରହିଛି ।
ଅପରପକ୍ଷରେ ଇସ୍ରାଏଲ-ଇରାନ୍ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଥିବାବେଳେ ଆକ୍ରମଣ ପ୍ରତି ଆକ୍ରମଣ ବି ଜାରିରହିଛି । ଏଭଳି ସ୍ଥିତିରେ ଜି-୭ ଇସ୍ରାଏଲକୁ ସମର୍ଥନ କରିଥିବାବେଳେ ନିଜକୁ ସୁରକ୍ଷା ଦେବାର ଅଧିକାର ତେଲ ଆଭିଭର ରହିଛି ବୋଲି କୁହାଯାଇଛି । ସେହିପରି ଇରାନ୍ ପାଖରେ ପରମାଣୁ ଅସ୍ତ୍ର ନାହିଁ ବୋଲି ଚିଠା ବିବୃତ୍ତିରେ ଉଲ୍ଲେଖ ରହିଛି । ମଙ୍ଗଳବାର ଜି-୭ ସମ୍ମିଳନୀ ଅନୁଷ୍ଠିତ ହେବ । ବ୍ରିଟେନ, କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ଆମେରିକା ସମେତ ୟୁରୋପୀୟ ସଂଘ ବି ଏଥିରେ ଯୋଗଦାନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ଆମନ୍ତ୍ରିତ କରାଯାଇଛି । ଏହି ସମ୍ମିଳନୀରେ ଇସ୍ରାଏଲ-ଇରାନ୍ ବିବାଦ, ଇସ୍ରାଏଲ-ହମାସ ଯୁଦ୍ଧ ଓ ୟୁକ୍ରେନ ଯୁଦ୍ଧ ସଂକ୍ରାନ୍ତରେ ଆଲୋଚନା ହେବ । ଇସ୍ରାଏଲ-ଇରାନ୍ ବିବାଦର ସମାଧାନ ପାଇଁ ଜି-୭ ନେତାମାନେ ଆହ୍ୱାନ ଦେବେ । କାହିଁକିନା ଏହି ଯୁଦ୍ଧ ଫଳରେ ବିଶ୍ୱରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି ।