ଲଜ୍ଜା! ଯୁବତୀଙ୍କୁ ଗଣଦୁଷ୍କମ
ବ୍ରହ୍ମପୁର : ଗୋପାଳପୁର ବେଳାଭୂମିକୁ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏଭଳି ଲଜ୍ଜାଜନକ ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ୭ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି । ସେହିପରି ଅନ୍ୟ କେତେକ ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ୍ ତନାଘନା କରୁଥିବା ଜାଣିବାକୁ ମିଳିଛି ।
ଅଭିଯୋଗ ଅନୁଯାୟୀ, ଗତ ରବିବାର ଅପରାହ୍ନରେ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନର ଛାତ୍ରୀ ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଆସିଥିଲେ । ବିଡିଏ ଅଧୀନରେ ରହିଥିବା କାଠ ପୋଲ ବୁଲିବାକୁ ଟିକଟ କାଟି ଉଭୟ ଭିତରକୁ ଯାଇଥିଲେ । ପ୍ରାୟ ସନ୍ଧ୍ୟା ୭ଟା ବେଳେ ହିଞ୍ଜିଳିକାଟୁ ସମେତ ଅନ୍ୟାନ୍ୟ ଅଞ୍ଚଳର ୧୦ ଜଣ ଯୁବକ ୩ଟି ମୋଟର ସାଇକେଲରେ କାଠ ପୋଲ ଆସିଥିଲେ । ସେଠାରେ ମଦ୍ୟପାନ ବି କରିଥିଲେ । ଯୁବକମାନେ ବୁଲାବୁଲି କରୁଥିବା ବେଳେ ଛାତ୍ରୀଙ୍କୁ ତାଙ୍କ ପୁରୁଷବନ୍ଧୁଙ୍କ ସହିତ ନିଛାଟିଆ ସ୍ଥାନରେ ବସିଥିବା ଦେଖିବାକୁ ପାଇଥିଲେ । କିଛି ଯୁବକ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଉଭୟଙ୍କ ଫଟୋ ଉଠାଇ ଭାଇରାଲ୍ କରିବାକୁ ଧମକ ମଧ୍ୟ ଦେଇଥିଲେ । ଏପରିକି ସେମାନଙ୍କ ଠାରୁ ପର୍ସ ମଧ୍ୟ ଛଡ଼ାଇ ନେଇଥିଲେ । ପରେ ତାଙ୍କୁ ନିକଟସ୍ଥ କାଠ ପୋଲ ଅଞ୍ଚଳକୁ ନେଇ ଗଣଦୁଷ୍କର୍ମ କରିଥିଲେ ବୋଲି ଗତକାଲି ରାତି ୧୧ଟାରେ ଛାତ୍ରୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଜଣେ ଅଭିଯୁକ୍ତକୁ ପ୍ରଥମ ଅଟକ ରଖି ପଚରାଉଚରା କରିଥିଲା । ଏହାପରେ ଅନ୍ୟ ୬ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଖୋଜି ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିବା ଜଣାପଡିଛି ।