ଧର୍ମ ବନାମ ରାଜନୀତି
କିଛିଦିନ ତଳେ ସଂସଦରେ ରାହୁଲ ଗାନ୍ଧିଙ୍କ ହିନ୍ଦୁ ହିଂସ୍ରକ ଶବ୍ଦକୁ ନେଇ ତୁମ୍ବି ତୋ‘ାନ ସୃଷ୍ଟି ହୋଇଥିଲା । କଂଗ୍ରେସର ଅଭିଯୋଗ ବିଜେପି ଧର୍ମକୁ ନେଇ ରାଜନୀତି କରୁଛନ୍ତି । ସାଧାରଣତଃ ଲୋକମାନେ ଧର୍ମ କହିଲେ, ହିନ୍ଦୁ ଧର୍ମ, ମୁସଲିମ ଧର୍ମ, ଖ୍ରୀଷ୍ଟ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମକୁ ବୁଝିଥା’ନ୍ତି । ବାସ୍ତବରେ ଧର୍ମର ସଂଜ୍ଞା ବଡ଼ ବ୍ୟାପକ । ଧର୍ମ ଶବ୍ଦଟି ‘ଧୁ’ ଧାତୁରୁ ଉତ୍ପନ୍ନ । ଧାରୟତି ଇତି ଧର୍ମ । ଧର୍ମ କର୍ମ ସହିତ ଜଡିତ । ବ୍ରାହ୍ମଣର କର୍ମ ବେଦ ପାଠ କରିବା, ଜ୍ଞାନ ବାଣ୍ଟିବା, ଅନ୍ୟ ସମସ୍ତ ବର୍ଣ୍ଣର ଲୋକମାନଙ୍କୁ ମାର୍ଗ ଦର୍ଶନ କରିବା, ଭଲ ମଣିଷ ହେବାକୁ ଉପଦେଶ ଦେବା, ସାତ୍ତ୍ୱିକ ଜୀବନଯାପାନ କରିବା, ସାକାହାରୀ ହେବା ଇତ୍ୟାଦି ଏହା ବ୍ରାହ୍ମଣର କର୍ମ ଓ ଏହା ତା’ର ଧର୍ମ । ଯଦି ବ୍ରାହ୍ମଣ ଜଣକ ହିଂସା ଆଚରଣ କରେ, ଜୀବ ହତ୍ୟା କରେ, ଆମିଷ ଭକ୍ଷଣ କରେ, ମଦ୍ୟପନ କରେ, ସେ ତା’ର ଧର୍ମରୁ ବିଚୁ୍ୟତ ହେଲା ବୋଲି କୁହାଯିବ ।
ଧର୍ମର ସଂଜ୍ଞା ବ୍ୟକ୍ତି ଓ କର୍ମ ସ୍ଥଳବିଶେଷରେ ପରିବର୍ତ୍ତର୍ନ ହୋଇଥାଏ । ଜଣେ ବ୍ୟକ୍ତି ଘରେ ରହିଲେ ପିତା ଧର୍ମ ଓ ପତି ଧର୍ମ ପାଳନ କରିଥାଏ । ସେ ଯେତେବେଳେ କର୍ମ କ୍ଷେତ୍ରକୁ ଯାଏ, ସେ ରଜଧର୍ମ ପାଳନ କରେ । ଜଣେ ସୈନିକ ସୀମାନ୍ତରେ ରହି ବହିଃଶତ୍ରୁଙ୍କ ଉପରେ ନଜର ରଖିଥାଏ । ଯଦି ଜଣେ ଆତଙ୍କବାଦୀ ଆମ ଦେଶ ସୀମା ଭିତରକୁ ପଶିଆସେ ସେହି ସୈନ୍ୟ ଜଣକ ତାଙ୍କୁ ଚେତାବନୀ ଦେଇଥାଏ । ଯଦି ସେ ଆତଙ୍କବାଦୀଜଣକ ତାର ଚେତାବନୀକୁ ବେଖାତିର୍ କରି ଭିତରକୁ ପ୍ରବେଶ କରେ ବାଧ୍ୟ ହୋଇ ସୈନିକ ଜଣକ ତାଙ୍କୁ ଗୁଳି କରିଥାଏ । ଏହାହିଁ ସେହି ସୈନିକର ପ୍ରକୃତ ଧର୍ମ । କାରଣ ସେ ନିଜର ସ୍ୱାର୍ଥ ରକ୍ଷା କରିବାକୁ ଗୁଳି କରିନାହିଁ । ଦେଶ ତଥା ସମୂହ ସ୍ୱାର୍ଥ ପାଇଁ ସେ ଗୁଳି କରିବାକୁ ବାଧ୍ୟ ହୋଇଛି । ସେହି ବ୍ୟକ୍ତି ଜଣକ ଯଦି ନିଜର ଜମିଜମା ଗଣ୍ଡଗୋଳକୁ କେନ୍ଦ୍ରକରି କାହାକୁ ଗୁଳି କରେ ତା’ହେଲେ ଏହା ତା’ର ଧର୍ମ ନୁହେଁ । ସେଥିପାଇଁ ସେ ଆଇନ୍ ଆଖିରେ ଅପରାଧୀ ।
ଠିକ୍ ସେହିଭଳି ରାଜନୀତି କରିବା ବା ରାଜ୍ୟକୁ ଶାସନ କରିବା ଏକ କର୍ମ । ଯେଉଁମାନେ ଏଥିରେ ଲିପ୍ତ ସେମାନଙ୍କୁ ନେତା କୁହାଯାଏ । ଏହି କର୍ମଟି ନେତାଟିଏ ଯେତେବେଳେ ସମୂହ ସ୍ୱାର୍ଥ ପାଇଁ କରିଥାଏ ସେତେବେଳେ ଜନତା ତାଙ୍କୁ ବାହାବାହା ଦେଇଥାନ୍ତି ଓ ତା’ର ଗୁଣ ଗାନ କରନ୍ତି । ଯଦି ସେଇ ନେତା ଜଣକ ନିଜ ସ୍ୱାର୍ଥ ପାଇଁ କିମ୍ବା କୌଣସି ଏକା ନିର୍ଦ୍ଧିଷ୍ଟ ଗୋଷ୍ଠୀ ବା ସମ୍ପ୍ରଦାୟ ପାଇଁ କାର୍ଯ୍ୟ କରି ଅନ୍ୟ ସମ୍ପ୍ରଦାୟକୁ ଅଣଦେଖା କରେ ସେତେବେଳେ ଲୋକ କୁହନ୍ତି ଧର୍ମକୁ ନେଇ ରାଜନୀତି ହେଉଛି, ଜାତିକୁ ନେଇ ରାଜନୀତି ହେଉଛି । ଲୋକମାନେ ସେତେବେଳେ କୌଣସି ସମ୍ପ୍ରଦାୟ ବା ମଜହବ୍କୁ ଧର୍ମର ଆଖ୍ୟା ଦେଇଥା’ନ୍ତି । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭାଷାରେ, “ଧର୍ମ ଏକ ପୋତ ଗଢ଼ିଛନ୍ତି ବିହି ତରିବା ନିମନ୍ତେ ସଂସାର ବାରିଧି ।” ଦେଶ ଚାଲିବା ପାଇଁ ଯେଭଳି ସମ୍ବିଧାନ ଓ ଆଇନ୍ କାନୁନ ରହିଛି ଠିକ ମଣିଷ ଏହି ସଂସାରରେ କ’ଣ କରିବା ଉଚିତ ଓ କ’ଣ ଅନୁଚିତ ଓ କେଉଁ କର୍ମ କଲେ ମାନବ ଜୀବନର ସାର୍ଥକତା ହେବ ତାହା ଧର୍ମ ଆମକୁ ଶିକ୍ଷା ଦେଇଥାଏ ।
ଆବ୍ରାହ୍ମଣ ଚଣ୍ଡାଳ ପ୍ରତ୍ୟେକ ମଣିଷ, ଜୀବ ଭିତରେ ଭଗବାନଙ୍କ ସତ୍ତା ବିଦ୍ୟମାନ ଓ କେହି ଛୋଟ ନୁହନ୍ତି । ସେଇ କଥା ଧର୍ମ ଶିକ୍ଷା ଦେଇଥାନ୍ତି ବିଶ୍ୱର କଲ୍ୟାଣ ପାଇଁ । ଭଗବାନଙ୍କ ସୃଷ୍ଟିର ପ୍ରତ୍ୟେକ ଜୀବର ମଙ୍ଗଳ ନିମିତ୍ତ ଧର୍ମ ଉଦ୍ଦିଷ୍ଟ । ସବୁ ଧର୍ମର ଗୋଟିଏ ନିୟମ ଅଛି । କିନ୍ତୁ ବିଡମ୍ବନାର ବିଷୟ କିଛି ଧର୍ମଯାଜକ ନିଜକୁ ସମାଜରେ ପ୍ରତିଷ୍ଠା କରିବାକୁ ଯାଇ ଯେଉଁ ନୀତିନିୟମ ପ୍ରଣୟନ କରିଛନ୍ତି ତାହା ଧର୍ମ ନୁହେଁ । ନିଜର ବିଚାରଧାରା ମନୁ ସଂହିତାରେ ଧର୍ମର ଦଶଟି ଲକ୍ଷଣ କଥା କୁହାଯାଇଛି । ରାଜନୀତି କରୁଥିବା ବ୍ୟକ୍ତି ରାଜଧର୍ମ ପାଳନ କରିବା ଉଚିତ । ଜଣେ ବିଧାୟକ ହୁଅନ୍ତୁ ବା ମନ୍ତ୍ରୀ ସେ ଯେତେବେଳେ ଶପଥ ନେଉଛନ୍ତି ସେତେବେଳେ କହୁଛନ୍ତି ମୁଁ ସମ୍ବିଧାନ ଅନୁଯାୟୀ ନିରପେକ୍ଷ ଭାବେ କାର୍ଯ୍ୟ କରିବି । ଏହାହିଁ ତାଙ୍କର ଧର୍ମ । ସେହି ବିଧାୟକ ଯେତେବେଳେ ସମ୍ବିଧାନଠାରୁ ଦୂରେଇ ଯାଇ ପକ୍ଷପାତିତା ଅବଲମ୍ବନ କରି ନିଜ ଶାସନ ଗାଦିକୁ ସୁରକ୍ଷା ଦେବାକୁ ଯାଇ କୌଣସି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ମଜହବ ଓ ସମ୍ପ୍ରଦାୟ ପ୍ରତି ଅହେତୁକ ଅନୁକମ୍ପା ଦେଖାଇଥା’ନ୍ତି ସେତେବେଳେ କେଉଁଠି ନାଁ କେଉଁଠି ରାଜଧର୍ମର ଖିଲାପ ହୋଇଥାଏ ।
ଜଣେ ଶାସନ ଗାଦିରେ ବସିଥିବା ରାଜନେତା ଯେତେବେଳେ ନିଜର ସ୍ୱାର୍ଥ ପାଇଁ ହେଉ କିମ୍ୱା କୌଣସି ଏକା ନିର୍ଦ୍ଧିଷ୍ଟ ଜାତି, ଗୋଷ୍ଠୀ କିମ୍ବା ସମ୍ପ୍ରଦାୟ ପାଇଁ ସମସ୍ତ ନୀତିନୈତିକତାକୁ ଜଳାଞ୍ଜଳି ଦେଇ ତାଙ୍କ ସପକ୍ଷରେ କାର୍ଯ୍ୟ କରିଥାଏ ସେତେବେଳେ ସେ ନିଜର ଧର୍ମ ରକ୍ଷା କରିନଥାଏ । ତକ୍ରାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦିନେ କହିଥିଲେ ଭାରତ ବର୍ଷର ଯେତେ ସଂସାଧନ ଅଛି ତା’ର ପହିଲା ଅଧିକାର କେବଳ ସଂଖ୍ୟାଲଘୁମାନଙ୍କର । ଏହା ଆମ ସମ୍ବିଧାନର ଖିଲାପ ବା ରାଜଧର୍ମର ଖିଲାପ । ଗୋଟିଏ ଭୋଟ ପାଇଁ ଅଟଳଜୀଙ୍କ ସରକାରର ପତନ ଘଟିଥିଲା । ସେ ଚାହିଁଥିଲେ ଅସାଧୁ ଉପାୟ ଅବଲମ୍ବନ କରି ତାଙ୍କ ସରକାରକୁ ରକ୍ଷା କରି ପାରିଥାନ୍ତେ କିନ୍ତୁ ସେ ଏହା କରିନଥିଲେ । ରାଜଧର୍ମ ପାଳନ କରିବାରେ ତାଙ୍କ ନାମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।
ଅଧୁନା ସମସ୍ତ ରାଜନୈତିକ ଦଳ ଓ ସେମାନଙ୍କ ନେତାମାନେ କୋଟି କୋଟି ଟଙ୍କା ଦେଇ ଭୋଟରମାନଙ୍କୁ ପ୍ରଭାବିତ କରି ନିର୍ବାଚନ ବୈତରଣୀ ପାର ହେଉଛନ୍ତି ଓ ଜୟଯୁକ୍ତ ହେବ ପାରେ ସେ ପଇସାକୁ ଭରଣା କରିବା ପାଇଁ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି । ଆଜିର ଦିନରେ କୌଣସି ଜଣେ ନେତା ନିଜର ଧର୍ମକୁ ପାଳନ କରୁନାହାନ୍ତି ବା ସେମାନଙ୍କ ପାଖରେ କୌଣସି ନୀତି ନୈତିକତା ନାହିଁ । ଲାଲବାହାଦୁର ଶାସ୍ତ୍ରୀ ରେଳ ବିଭାଗର ମନ୍ତ୍ରୀ ଥିବାବେଳେ ଏକ ରେଳ ଦୁର୍ଘଟଣା ଘଟି ସେଥିରେ କିଛି ଲୋକ ମୃତାହତ ହୋଇଥିଲେ । ସେଥିôପାଇଁ ସେ ନିଜକୁ ଦାୟୀ କରି ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଆଜି ଅନେକ ରେଳ ଦୁର୍ଘଟଣା ହେଉଛି । ଶହ ଶହ ସଂଖ୍ୟରେ ଲୋକମାନେ ମୃତାହତ ହେଉଛନ୍ତି । କାହିଁ ରେଳ ବିଭାଗର ମନ୍ତ୍ରୀ ତାଙ୍କ ନିଜ ପଦବୀରୁ ଇସ୍ତଫା ଦେଉନାହାନ୍ତି!
ଲାଲବାହାଦୁର ଶାସ୍ତ୍ରୀ ରାଜଧର୍ମ ପାଳନ କରିଥିବାରୁ ଇତିହାସ ତାଙ୍କୁ ମନେ ରଖିବ । ବିହାର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ରାଜନେତାମାନେ ନିର୍ଦ୍ଧିଷ୍ଟ ଗୋଷ୍ଠୀ ବା ଜାତିର ଲୋକ ମାନଙ୍କୁ ଅଧିକ ସୁବିଧା ସୁଯୋଗ ଦେଇ ନିଜର ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବାର ପ୍ରୟାସ କରୁଛନ୍ତି । କ୍ଷମତା ଅକ୍ତିଆର କରିବା ପାଇଁ ସାମ, ଦଣ୍ଡ, ଭେଦ ନୀତି ଆପଣାଉଛନ୍ତି । କହିବାକୁ ଗଲେ ଆଜିର ରାଜନେତା ମାନେ କେହି ନିଜର ଧର୍ମ ପାଳନ କରୁନାହାନ୍ତି । ବାସ୍ତବରେ ହିନ୍ଦୁ ହେଉଛି ଏକ ସମ୍ପ୍ରଦାୟ ବା ଗୋଷ୍ଠୀ ଯେଉଁମାନେ ଆମର ବେଦ ଉପନିଷଦ ପ୍ରଣୀତ ନୀତି ନିୟମକୁ ପାଳନ କରିଥାନ୍ତି ବା ଏହି ସନାତନୀ ସଂସ୍କୃତିକୁ ଆପଣଇଥା’ନ୍ତି । କହିବାକୁ ଗଲେ ରାଜନୀତିରେ ଧର୍ମ ପ୍ରଭାବ ବିସ୍ତାର କରିନାହିଁ । ରାଜନୀତିରେ ଜାତିବାଦ, ସମ୍ପ୍ରଦାୟବାଦ, ଗୋଷ୍ଠୀବାଦ ପ୍ରଭାବ ବିସ୍ତାର କରିଛି । ସଂଖ୍ୟାଲଘୁମାନଙ୍କୁ ନେଇ ଅନେକ ରାଜନେତା ରାଜନୀତି କରୁଛନ୍ତି, ଯାହାକି ରାଜଧର୍ମର ଖିଲାପ । ଉତ୍ତରପ୍ରଦେଶରେ କିଛିି ନେତା ଦଳିତ ଓ ମୁସଲିମମାନଙ୍କୁ ନେଇ ରାଜନୀତି କରୁଛନ୍ତି । ସମସ୍ତ ରାଜନେତାମାନେ ମଣିଷ ମଣିଷ ଭିତରେ ବିଭାଜନ ସୃଷ୍ଟି କରି ନିଜର ରାଜନୈତିକ ଆକାଂକ୍ଷାକୁ ପୂରଣ କରିବା ମୋ ମତରେ ଧର୍ମ ଶବ୍ଦଟିର ଅପବ୍ୟବହାର କରାଯାଉଛି ।
ଧର୍ମ କେବେ ଏଭଳି ଶିକ୍ଷା ଆମକୁ ଦେଇନଥାଏ । ଜାତି ଧର୍ମ ବର୍ଣ୍ଣର୍ ନିର୍ବିଶେଷରେ ଆମେ ଜଣେ ଜଣେ ଭାରତୀୟ । ଆମର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ଓ ସୁଯୋଗ ଦେଇଛି । କିନ୍ତୁ କିଛି ରାଜନେତା ନିଜର ଭୋଟ ବ୍ୟାଙ୍କ ସୁରକ୍ଷିତ ପାଇଁ ଦେଶରେ ଦୁଇ ପ୍ରକାର ଆଇନ୍ ତିଆରି କରିଛନ୍ତି । ସଂଖ୍ୟାଲଘୁ ମାନଙ୍କ ପାଇଁ ଗୋଟିଏ ଆଇନ ଓ ସଂଖ୍ୟାଧିକଙ୍କ ପାଇଁ ଆଉ ଗୋଟିଏ ଆଇନ୍ । ଏକ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ଶୁଭଙ୍କର ନୁହେଁ । କେବଳ ନିଜର ଫାଇଦା ପାଇଁ ବିଭାଜନ ସୃଷ୍ଟି କରାଯାଇଛି । ସଂଖ୍ୟାଲଘୁ ମାନଙ୍କ ଧାର୍ମିକସ୍ଥଳୀ ସରକାରଙ୍କ ନିୟନ୍ତ୍ରଣରେ ନଥିବା ବେଳେ ସଂଖ୍ୟାଧିକମାନଙ୍କ ମନ୍ଦିର ସରକାରଙ୍କ ନିୟନ୍ତ୍ରଣାଧୀନ । ଏହା କ’ଣ ଧର୍ମନିରପେକ୍ଷତା? ସମ୍ବିଧାନ ପ୍ରଣୟନ ସମୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଶ୍ରେଣୀ ନିରକ୍ଷର ଓ ପଛୁଆ ଥିଲେ ସେଥିପାଇଁ ସେମାନଙ୍କ ପାଇ ସମ୍ବିଧାନରେ ଦଶ ବର୍ଷ ପାଇଁ ସଂରକ୍ଷଣ ଥିଲା । ସ୍ୱାଧୀନତାର ୭୬ ବର୍ଷ ପରେବି ସେହି ବ୍ୟବସ୍ଥା ଚାଲୁ ରହିଛି । ତାହା ଆଦୌ ଯୁକ୍ତିଯୁକ୍ତ ନୁହେଁ । ଏହା ସମ୍ବିଧାନର ପରିପନ୍ଥୀ । ସବୁ ରାଜନୈତିକ ଦଳ ଏହି କଥାକୁ ଅନୁଭବ କଲେବି ନିଜ ଗାଦିରକ୍ଷା ପାଇଁ କେହି ପାଟି ଖୋଲୁ ନାହାନ୍ତି । ଗୋଟିଏ ଦେଶରେ ଏକ ପ୍ରକାର ଆଇନ ପ୍ରଚଳିତ ହେବା ସହିତ ସମସ୍ତ ନାଗରିକ ମାନଙ୍କ ସମାନ ଅଧିକାର ଓ ସୁଯୋଗ ରହିଲେ ଭାରତ ଏକ ସମୃଦ୍ଧ ଓ ବିକଶିତ ରାଷ୍ଟ୍ରରେ ପରିଗଣିତ ହୋଇପାରିବ ।(କ୍ରମଶଃ)
ଅବସରପ୍ରାପ୍ତ ପୋଲିସ୍ ଅଫିସର୍
ମୋ: ୮୨୪୯୨୮୧୫୬୭