ପ୍ରକୃତ ଜୀବନ ଯୋଗ୍ୟର ଅଧିକାର
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ପ୍ରକୃତ ଜୀବନ କେମିତି ଯୋଗ୍ୟର ଅଧିକାର, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ସମାଜରେ ଜନସଂଖ୍ୟା ବଞ୍ଚିବା ସହିତ ବ୍ୟକ୍ତି ଚରିତ୍ରରେ ଘୋର ପରିବର୍ତ୍ତନର ଲକ୍ଷ୍ୟ କରାଯାଉଛି । ଏ ପୃଥିବୀରେ ପ୍ରତ୍ୟେକ ପ୍ରାଣୀ, ପଶୁ, ପକ୍ଷୀ, ସରୀସୃପ, ଉଦ୍ଭିଦ ଆଦି ସଚରାଚର ପ୍ରାଣୀ ସମସ୍ତେ କେବଳ ନିଜ ଦକ୍ଷତାରେ ହିଁ ବଞ୍ଚିଛନ୍ତି । ଗୋଟିଏ ଗଛ ଉପରେ ଯେତେବେଳେ ନିର୍ମୁଳି ଲତା, ମଲାଙ୍ଗ, ରାସ୍ନା ଭଳି ପରଜୀବୀ ଉଦ୍ଭିଦ ଅଧିକ ମାତ୍ରାରେ ଲଟେଇ ଯାଏ ସେତେବେଳେ ସେ ଗଛଟି ଆଉ ବଞ୍ଚିପାରେ ନାହିଁ । ଧାନବିଲରେ ଗରଗଡ କିମ୍ବା ବାଳୁଙ୍ଗା ଅଧିକ ହେଇଗଲେ ଧାନ ଫଳିପାରେ ନାହିଁ । ଠିକ୍ ସେହିପରି ମଣିଷ, ପ୍ରାଣୀ, ପଶୁ, ପକ୍ଷୀ, ସରୀସୃପ, ଉଦ୍ଭିଦ ସମସ୍ତଙ୍କ କ୍ଷେତ୍ରରେ ନିଜର ଖାଦ୍ୟ ନିଜେ ଯୋଗାଡ ନ କରିପାରିଲେ ସିଏ ବଞ୍ଚିପାରିବ ନାହିଁ । କେବଳ ଯୋଗ୍ୟ ମାନେ ହିଁ ବଞ୍ଚନ୍ତି ଏବଂ ଯୋଗ୍ୟ ମାନେ ହିଁ ବଂଶ ବିସ୍ତାର କରନ୍ତି । କେବଳ ଯୋଗ୍ୟ ହିଁ ଏ ପୃଥିବୀରେ ବଞ୍ଚିବାର ଅଧିକାର ପାଏ । ଡାରୱିନ୍ ପ୍ରକୃତିର ନିରୀକ୍ଷଣ କରି ଶେଷକୁ ଏହି ମତ ଦେଇଛନ୍ତି ଯେ ବିବର୍ତ୍ତନର ଚକ୍ରରେ ଏ ପୃଥିବୀ ଗଡି ଚାଲିଛି । ବିବର୍ତ୍ତନ ଚକ୍ର ଭିତରେ ବଞ୍ଚିବାରେ ଯିଏ ଅସମର୍ଥ, ତାର ବିଲୁପ୍ତି ନିଶ୍ଚିତ । ଏହି ତତ୍ତ୍ୱକୁ ସମଗ୍ର ବିଶ୍ୱର ପ୍ରଗତିଶୀଳ ବ୍ୟକ୍ତିମାନେ ଗ୍ରହଣ କରିଛନ୍ତି ଏବଂ ଡାରୱିନ୍?ଙ୍କୁ ଜଣେ ମହାନ୍ ବୈଜ୍ଞାନିକର ସମ୍ମାନ ଦେଇଛନ୍ତି ।
ଆଜି ଏ ପୃଥିବୀରେ ଆମେ ଯାହା ସବୁ ଦେଖୁଛୁ ୪୫୦ କୋଟି ବର୍ଷ ପୂର୍ବରୁ ସେସବୁ କିଛି ନଥିଲା । ବିବର୍ତ୍ତନ ଚକ୍ରରେ ମହା ମହା ବଳଶାଳୀ ପ୍ରାଣୀ ମାନେ ଜୀବନର ଲଢେଇରେ ହାରିଯିହବାରୁ ସେମାନଙ୍କ ମଧ୍ୟରୁ ଅନେକଙ୍କର ବିଲୁପ୍ତି ଘଟିଛି । ସେହି ବିବର୍ତ୍ତନ ପ୍ରକ୍ରିୟାରେ ନୂଆ ନୂଆ ପ୍ରାଣୀ ସୃଷ୍ଟି ହୋଇଛନ୍ତି । ପ୍ରାକୃତିକ ପରିବେଶ ଭିତରେ ବଞ୍ଚିବା ପାଇଁ ଜଳବାୟୁ, ବୃଷ୍ଟିପାତ, ଖାଦ୍ୟର ଅଭାବ ଆଦି ବିଭିନ୍ନ ପ୍ରକାରର ବିଭବ ଦାୟୀ । ଏହି ସବୁ ବିଭବ ସହିତ ଖାପ୍ ଖୁଆଇ ନ ପାରିଲେ ଗୋଟିଏ ପ୍ରଜାତିର ସ୍ଥିତି ବିପଦସଙ୍କୁଳ ହୋଇପଡେ ।
ଠିକ୍ ସେହିଭଳି ଏକ ପ୍ରାଣୀ ଭାବରେ ମଣିଷ ପ୍ରଜାତି ମଧ୍ୟ ଏହି ପ୍ରାକୃତିକ ନିୟମରେ ବନ୍ଧା । ଦୃଶ୍ୟମାନ ଜଗତ ଠାରୁ ଅଣୁ ଜଗତରେ ବିବର୍ତ୍ତନ ଖୁବ୍ଶୀଘ୍ର ଘଟେ ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।