ମୌଳିକ ସୁବିଧାରୁ ବଞ୍ଚିତ ବାଣୁଆଗୁଡା ଗ୍ରାମବାସୀ
ବୋରିଗୁମ୍ମାରୁ ଦୟାନିଧି ପଟ୍ଟନାୟକ :  ଓଡ଼ିଶାର ସର୍ବ ବୃହତ୍ ପଞ୍ଚାୟତ ସମିତି ଭାବେ ଏକଦା ଖ୍ୟାତି ଲାଭ କରିଥିବା ବୋରିଗୁମ୍ମା ପଞ୍ଚାୟତ ସମିତି ଗତ କିଛି ଦିନ ତଳେ ବିଧାନସଭାରେ ଆଲୋଚ୍ୟ ପ୍ରସଙ୍ଗ ସାଜିଥିବା ବେଳେ କାର୍ଯ୍ୟାଳୟ ଠାରୁ ମାତ୍ର ୧୦ କିଲୋ ମିଟର ଦୂରରେ ଥିବା ବିଜାପୁର ପଞ୍ଚାୟତର ବାଣୁଆଗୁଡ଼ା ଗ୍ରାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାୟ ୭୦ ପରିବାର ତଥା ୫୦୦ ଲୋକ ସଂଖ୍ୟା ବିଶିଷ୍ଟ ଏହି ଗ୍ରାମକୁ ରାସ୍ତା ନଥିବାରୁ ସ୍ୱାଧୀନତା ପରବର୍ତ୍ତୀ ସମୟରେ ବିଚ୍ଛିନ୍ନାଞ୍ଚଳ ଥିଲା, କେହି ଆଶ୍ଚର୍ଯ୍ୟ ପ୍ରକଟକରୁ ନଥିଲେ । କିନ୍ତୁ ତିନି ତିନିଟି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ମିଳନସ୍ଥଳୀ ଠାରୁ ମାତ୍ର ୧୦ କି.ମି. ଦୂରରେ ଥିବା ଏହି ବଚ୍ଛିନ୍ନାଞ୍ଚଳ ଗ୍ରାମ ହଠାତ୍ ଗଣମାଧ୍ୟମର ଦୃଷ୍ଟି ପଡ଼ିଲା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ଚତୁର୍ଦ୍ଦିଗରେ ଜଙ୍ଗଲ ପାହାଡ଼ ଘେରା ଏହି ଗ୍ରାମକୁ ଆଜି ବି ପାଦଚଲା ରାସ୍ତାରେ ଯିବାକୁ ପଡେ । ପ୍ରାଥମିକ ବିଦ୍ୟାଳୟ ଅଛି, କିନ୍ତୁ ନିୟମିତ ଶିକ୍ଷକ ଆସୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରୋଗୀଙ୍କୁ କାନ୍ଧରେ କିମ୍ୱା ଖଟିଆରେ ୪କିଲୋମିଟର ବୋହି ନେବାକୁ ପଡ଼େ । ଜୀବନକୁ ବାଜି ଲଗାଇ ଜଙ୍ଗଲି ହିଂସ୍ର ଜନ୍ତୁଙ୍କ କବଳରୁ ନିଜକୁ ସୁରକ୍ଷିତ ରଖି ୧୦ କିଲୋମିଟର ଦୂରରେ ଥିବା ବିଜାପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଲେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଇତ୍ୟାଦି ମିଳେ । କେବଳ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୀ କରି ରୋଜଗାର ଚଳେ । ପାଣି ଟାଙ୍କି ଅଛି ସତ, ମାତ୍ର ଉପଯୁକ୍ତ ପରିଚାଳନା ଅଭାବରୁ ସେଠାରୁ  ଅସ୍ୱାସ୍ଥ୍ୟକର ଅସ୍ୱଚ୍ଛ ପାଣି ପିଇବା ଅପେକ୍ଷା ଚୂଆ ପାଣିକୁ ବିକଳ୍ପ ଭାବେ ଗ୍ରହଣ କରିଥିବା ଗ୍ରାମବାସୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । କେବଳ ପାଦଚଲା ରାସ୍ତା ଅଛି । ତେଣୁ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ସଠିକ୍ ଭାବେ ପରିଚାଳିତ ହେଉ ନ ଥିବା ଜଣାପଡିଛି ତଥା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକ ନିୟମିତ ଆସୁ ନାହାନ୍ତି । ବର୍ଷବର୍ଷ ଧରି ସରକାରୀ କର୍ମଚାରୀଙ୍କ ପାଦ ପଡ଼ୁ ନଥିବା ବିଷୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୌଳିକ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଜିଲ୍ଲାପାଳ, ଉପ-ଜିଲ୍ଲାପାଳଙ୍କ ସମେତ ଏକାଧିକ ପ୍ରଶାସନିକ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, କିନ୍ତୁ କୌଣସି ସୁଫଳ ପାଇ ପାରି ନାହାନ୍ତି  । ତେବେ ସରକାର ପରିବର୍ତ୍ତନ ହୋଇ ଥିବାରୁ ଗାଁକୁ ରାସ୍ତାଟିଏ କରିବା ପାଇଁ ନୂତନ ସରକାରଙ୍କୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ।                        
 
 Rasmita Behera
                                    Rasmita Behera                                 
    
 
    
 
 
 
