ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ଗୃହ, ତଦନ୍ତ ଦାବି
ନିମାପଡାରୁ ରାଜକିଶୋର ଦାସ: ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଛି ଅଙ୍ଗନବାଡି ଗୃହ । ଏମିତି ଦେଖିବାକୁ ମିଳିଛି ନିମାପଡା ବ୍ଲକ ଅନ୍ତର୍ଗତ ବାମନାଳ ଗ୍ରାମ ପଞ୍ଚାୟତରେ । ଏହି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ୨୦୨୦ ମସିହାରେ ସରକାରଙ୍କ ତରଫରୁ ଅନୁଦାନ ମିଳିଥିଲା ଏବଂ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଦୀର୍ଘ ୪ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହି ଅଙ୍ଗନୱାଡି ଗୃହ ନିର୍ମାଣ କାର୍ଯ୍ୟ ସରୁନାହିଁ । ଏ ପର୍ଯ୍ୟନ୍ତ ଅଧାପନ୍ତରିଆ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ରଟି ପଡି ରହିଛି । ଗୃହର ଛାତ ପଡି ସାରିଥିବା ବେଳେ ଏ ଯାଏଁ ଅନ୍ୟ କୌଣସି କାମ ହୋଇ ନଥିବା ଦେଖିବାକୁ ମିଳିଛି । ଫଳରେ ଅର୍ଦ୍ଧନିର୍ମିତ ଅଙ୍ଗନବାଡି ଗୃହ ଚାରିପଟେ ଅନାବନା ଗଛ ଉଠି ଜଙ୍ଗଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏହି ଅଙ୍ଗନବାଡିକୁ ଆସୁଥିବା ପିଲାମାନେ ନିକଟରେ ଥିବା ଏକ ଭଙ୍ଗା କୋଠାଘରେ ପଢ଼ୁଥିବାର ଜଣାପଡିଛି । ଏହି ଘରଟି ମଧ୍ୟ ବହୁତ ପୁରୁଣା ହୋଇଥିବାରୁ ଏହା ଭଗ୍ନ ଅବସ୍ଥାରେ ରହିଛି । ଛାତର ପ୍ଳାଷ୍ଟର ଖସିବା ସହିତ ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ବସି ପାଠ ପଢୁଛନ୍ତି । ଅଧାପନ୍ତରିଆ ହୋଇ ପଡ଼ିଥିବା ଅଙ୍ଗନବାଡି ଗୃହକୁ ଶୀଘ୍ର କାମ ସାରି ପିଲାଙ୍କୁ ଏହି ଘରେ ପାଠ ପଢେଇବାକୁ ଗ୍ରାମବାସୀମାନେ କହିଛନ୍ତି । କ’ଣ ପାଇଁ ଏ ପର୍ଯ୍ୟନ୍ତ ଗୃହ ନିର୍ମାଣରେ ବିଳମ୍ୱ ହୋଇଛି ଏହାର ତଦନ୍ତ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।