କଳାଗୁଣ୍ଡ ପକାଇ କଂକ୍ରିଟ ରାସ୍ତା ନିର୍ମାଣ: ଅଭିଯୋଗ ଆଣିଲେ ଅଞ୍ଚଳବାସୀ

 କେନ୍ଦୁଝର:  କେନ୍ଦୁଝର ସଦର ତହସିଲ ଧ୍ରୁର୍ପଦା ନିକଟରେ ରାସ୍ତା ନିର୍ମାଣ ପାଇଁ ବର୍ଜ୍ୟବସ୍ତୁ ପକାଇ ନାଳ ଅବରୋଧ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜାତୀୟ ରାଜପଥ ୪୯ କଡ଼ ମୋଚିଗାଁରେ ସରକାରୀ ଜମି ଜବରଦଖଲ କରି ଏହି ରାସ୍ତା ନିର୍ମାଣ ଚାଲିଛି । ରାସ୍ତା ନିର୍ମାଣରେ କାରଖାନାର ବର୍ଜ୍ୟବସ୍ତୁ ବ୍ୟବହାର କରାଯାଉଥିବାରୁ ଅଞ୍ଚଳରେ ଜଳ, ମୂର୍ତ୍ତିକା ଓ ବାୟୁ ପ୍ରଦୂଷଣ ହେଉଛି । ଏ ନେଇ ପୂର୍ବରୁ ଅଭିଯୋଗ ହେବା ପରେ ତହସିଲ ପକ୍ଷରୁ ସଦର ରାଜସ୍ୱ ନୀରିକ୍ଷକ ଏବଂ ଅନ୍ୟ କର୍ମଚାରୀ ତଦନ୍ତ କରି ରାସ୍ତା ବନ୍ଦ କରିଥିଲେ । ଏବେ ପୁଣି ଜମି ମାଫିଆମାନେ ନାଳ ଉପରେ କଳାଗୁଣ୍ଡ ପକାଇ ରାସ୍ତା ନିର୍ମାଣ କରୁଛନ୍ତି ।
 ରାଜପଥ ପାଶ୍ୱର୍ ନୟନଯୋଡିକୁ ପୋତିି ରାସ୍ତା ନିର୍ମାଣ ହେଉଥିବାରୁ ଜଳ ପ୍ରବାହ ବନ୍ଦ ହେବା ସହ ମୂର୍ତ୍ତିକା ପ୍ରଦୂଷିତ ହୋଇଛି । ସେହିପରି ରାଜପଥ ପାଶ୍ୱର୍ରେ କୋଟି କୋଟି ଟଙ୍କା ବ୍ୟୟରେ ଓଡିÿଶା ବନ ଉନ୍ନୟନ ନିଗମ ଦ୍ୱାରା କରାଯାଇଥିବା ବନୀକରଣ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଜମି ମାଫିଆମାନେ ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ କରାଯାଇଥିବା ବନୀକରଣ ନିକଟରେ କଳାଗୁଣ୍ଡ ପକାଇ ରାସ୍ତା କରୁଛନ୍ତି । ନାଳ ପୋତି ହୋଇ ଯାଇଥିବାରୁ ବର୍ଷା ଦିନରେ ସହରର ପାଣ ନିଷ୍କାସନରେ ସମସ୍ୟା ହେବାର ଆଶଙ୍କା ରହିଛି । ଏ ନେଇ ସଦର ତହସିଲଦାର ଶୁଭେନ୍ଦୁ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରୁ ଘଟଣାର ଯାଞ୍ଚ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଜମି ମାଫିଆମାନେ କେବଳ ଏହି ଗୋଟିଏ ସ୍ଥାନ ନୁହେଁ ସହର ଏବଂ ଆଖପାଖ ଅଞ୍ଚଳରେ କାରଖାନା ବର୍ଜ୍ୟବସ୍ତୁ ପକାଇ ବିଭିନ୍ନ ସ୍ଥାନରେ ରାସ୍ତା କରୁଛନ୍ତି । ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ହେଲେ କିଏ ଏବଂ କେଉଁ କାରଖାନାରୁ ବର୍ଜ୍ୟବସ୍ତୁ ଆଣି ପକାଉଛନ୍ତି ତାହା ଜଣାପଡିବ ।