ରାସ୍ତା ଉପରେ ବିପଦ ଶଙ୍କୁଳ ଟ୍ରାନ୍ସଫର୍ମର

 ଭଣ୍ଡାରିପୋଖରୀ : ବହୁ ରାଷ୍ଟ୍ରୀୟ କମ୍ପାନୀ ହାତରେ ବିଦୁ୍ୟତ୍ ବିଭାଗକୁ ଟେକି ଦେଇ ସରକାର ଲାଭାନ୍ୱିତ ହେବା ସହିତ ଲୋକଙ୍କୁ ଉଚିତ ସେବା ଯୋଗାଇ ଦେବାକୁ ଚିନ୍ତା କରିଥିଲେ ସୁଦ୍ଧା ତାହା କିନ୍ତୁ ଶତପ୍ରତିଶତ ସଫଳ ହୋଇନାହିଁ । ଆଜିବି ସୁଦ୍ଧା ଅନେକ ସ୍ଥାନରେ ବିଦୁ୍ୟତ୍ ଭିତିଭୂମି ଦୁର୍ବଳ ଅବସ୍ଥାରେ ରହିଛି । କେଉଁଠି ସେଇ ପୁରୁଣା ଖୁଣ୍ଟ ତ ପୁଣି କେଉଁଠି ଦୁର୍ବଳ ତାରରେ ବିଦୁ୍ୟତ୍ ସରବରାହ ଚାଲିଛି । ଏପରିକି ରାସ୍ତା ଘାଟରେ ମଧ୍ୟ ପୂର୍ବ ଭଳି ଖୁଣ୍ଟ ରହିଥିବା ବେଳେ ବିପଦ ସଙ୍କୁଳ ଟ୍ରାନ୍ସଫର୍ମର ମଧ୍ୟ ସେଥିରେ ଝୁଲି ରହିଛି । କେତେବେଳେ ଯେ ଦୁର୍ଘଟଣା ଘଟି ଜୀବନ ହାନି ହେବ କହି ହେଉନାହିଁ । ସୂଚନା ମୁତାବକ ଭଣ୍ଡାରିପୋଖରୀ ବ୍ଲକ ଜୋରାଗଡିଆ ସୀମିଳିଆ ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପରେ କିଛି ବିଦୁ୍ୟତ୍ ଖୁଣ୍ଟ ରହିଛି । ଏପରିକି ବିଦୁ୍ୟତ୍ ଖୁଣ୍ଟରେ ଟ୍ରାନ୍ସଫରମ ବସିଥିବା ବେଳେ ସେଥିରେ ୧୧କେଭି ଲାଇନ ସଂଯୋଗ ରହିଛି । ଉକ୍ତ ଟ୍ରାନ୍ସଫର୍ମରରୁ ଉପଭୋକ୍ତାଙ୍କୁ ବିଦୁ୍ୟତ୍ ସେବା ଯୋଗା ଯାଉଥିବା ବେଳେ ଏହାର ସୁରକ୍ଷା ପ୍ରତି କେହି ଦୃଷ୍ଟି ଦେଇନାହାନ୍ତି । ବିଦୁ୍ୟତ୍ ଖୁଣ୍ଟ ସମ୍ପୂର୍ଣ୍ଣ ରାସ୍ତା ଉପରେ ରହିଥିବା ବେଳେ ପଥଚାରୀଙ୍କ ପାଇଁଁ ଏହା କେତେବେଳେ ଯେ ବିପଦ ଆଣିବ କହି ହେଉନାହିଁ । ତେଣୁ ଏହା ଉପରେ ବିଭାଗୀୟ ଯନ୍ତ୍ରୀ ଦୃଷ୍ଟି ଦେବା ଜରୁରୀ ହୋଇଛି ।