ଲଘୁଚାପ ବର୍ଷା, ଚାଷୀକୂଳ ହନ୍ତସନ୍ତ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ ଅଦିନିଆ ଲଘୁଚାପ ବର୍ଷା ଫଳରେ ଚାଷୀ କୂଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ବର୍ତ୍ତମାନ ରବି ଧାନ ଅମଳ ସମୟ ହୋଇଥିବା ବେଳେ ପ୍ରାୟ ଷାଠିଏ ପ୍ରତିଶତ ଚାଷୀଙ୍କ ପାଚିଲା ଧାନ ଏବେ ବିଲରେ । ବର୍ଷା ମାଡ ଖାଇ ଧାନ ସବୁ ତଳେ ପଡି ଯାଇଛି ଏବଂ ଯେଉଁ ଚାଳିଶ ପ୍ରତିଶତ ଚାଷୀ ଧାନ କାଟି ସାରିଛନ୍ତି, ତାକୁ ମଧ୍ୟ ଖଳାରେ ରଖିଥିବା ବେଳେ ଧାନ ଗଜା ହେବାକୁ ବସିଲାଣି । ଅଦିନିଆ ଲଘୁଚାପ ସହିତ ଆଗୁଆ ମୌସୁମୀର ଆଗମନ ଫଳରେ ଆଗକୁ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । ଯାହା ଫଳରେ ଆଶା ଆଶଙ୍କାରେ ରହିଛନ୍ତି ଚାଷୀକୁଳ । ମ.ରାମପୁର ବ୍ଲକର ମୋହନଗିରୀ, ମଦନପୁର ଅଞ୍ଚଳ, ଟୁର୍ଚ୍ଚି, ପଣ୍ଡକାମାଲ, ଗୋଛାଡେଙ୍ଗେନ, ଆମ୍ବଗାଁ, ବୁରାଟ, ଝାଲିଆଗୋଭା, ଡଙ୍ଗାବାହାଲ, ଧଅଁରାମାଲ ଭଳି ଅନେକ ଅଞ୍ଚଳରେ ଏବେ ଚାଷୀର ଏଇ ସମାନ ଅବସ୍ଥା । ମଣ୍ଡି ମଧ୍ୟ ଆରମ୍ଭ ହୋଇ ସାରିଥିଲେ ହେଁ ଚାଷୀ ନା ଧାନ ଅମଳ କରି ପାରୁଛି, ନା ଧାନକୁ ମଣ୍ଡିରେ ନେଇ ବିକ୍ରିୀ କରି ପାରୁଛି । ଚାଷୀ ଜୟ ପ୍ରକାଶ ମହାଖୁଡ, ସୂର୍ଯ୍ୟସେନ ମହାଖୁଡ, ସଞ୍ଜିବ ମହାଖୁଡ, ପ୍ରତାପ ମହାଖୁଡ, ସୁରେଶ ବିଶି, ଦିଲୀପ ମାହାର, ବିରଞ୍ଚି ରାଉତ ପ୍ରମୁଖ ଙ୍କ ସମେତ ପ୍ରାୟ ସବୁ ଅଞ୍ଚଳର ଚାଷୀଙ୍କ ମୁଣ୍ଡରେ ଏବେ ଘୋର ଚିନ୍ତା । ତେଣୁ କୃଷି ବିଭାଗ ତୁରନ୍ତ ଏଇ ସବୁ ଅଞ୍ଚଳର ଚାଷ କ୍ଷୟକ୍ଷତି ଆକଳନ କରିବା ସହିତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।