ବିପର୍ଯ୍ୟସ୍ତ ଧାମନଗର ଶିଶୁ ବିଭାଗ : ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ଘର 

 ଧାମନଗର : ଧାମନଗର ବ୍ଲକରେ ଶିଶୁ ବିକାଶ କାର୍ଯ୍ୟକ୍ରମ ବିପର୍ଯ୍ୟସ୍ତ ଅବସ୍ଥାରେ ଚାଲିଛି । ନା ଅଛି ଭିତ୍ତିଭୂମି ନା ମିଳୁଛି ଆନୁସଙ୍ଗିକ ସୁବିଧା । ବ୍ଲକରେ ମୋଟ ୩୫୩ଟି ଅଙ୍ଗନବାଡ଼ି ଓ ମିନି ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ତା ଭିତରୁ ୧୨୮ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଘର ନାହିଁ । ଏସବୁ ଅଙ୍ଗନବାଡ଼ି କାହା ଘରେ ତ କାହା ପିଣ୍ଢାରେ ଚାଲିଛି । କିଛି ଅଙ୍ଗନବାଡ଼ିର କର୍ମୀ ନିଜ ଘରେ ଚଲାଉଛନ୍ତି ତ କିଏ ଗାଁ ଠାକୁର ଘରେ ପିଲାଙ୍କୁ ପଢାଉଛନ୍ତି ।
୧୭୬ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଘର ରହିଛି । ବିଭିନ୍ନ ପଞ୍ଚାୟତରେ ୪୫ ଟି କେନ୍ଦ୍ର ନିର୍ମାଣାଧିନ ଅବସ୍ଥାରେ ଥିଲାବେଳେ, ୧୪ ଟି ତିଆରି ସରିଥିଲେ ବି ବିଲ୍ ହୋଇ ନଥିବାରୁ ଠିକାଦାର ତାହାକୁ ହସ୍ତାନ୍ତର କରିନାହାନ୍ତି ଚାବି ପକାଇ ରଖିଛନ୍ତି । ବ୍ଲକରେ ଏବେ ୬ ଟି ଅଙ୍ଗନବାଡ଼ି କେନ୍ଦ୍ର ଭଡ଼ାଘରେ ଓ ୪୪ ଟି କେନ୍ଦ୍ର  ସ୍କୁଲରେ ଚାଲିଛି । ବାକି ୧୨୭ଟି ଅଙ୍ଗନବାଡ଼ି କେନ୍ଦ୍ର ଗାଁରେ ଥିବା କମୁ୍ୟନିଟି ସେଣ୍ଟରରେ କାର୍ଯ୍ୟ କରୁଛି । ଭଡା ଘର ଓ କମୁ୍ୟନିଟି ସେଣ୍ଟରରେ ଚାଲୁଥିବା ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଓ ପିଲାମାନେ ହଇରାଣ ହେଉଛନ୍ତି । ପିଇବା ପାଣିର ସୁବିଧା ନାହିଁ କି ଶୌଚାଳୟ ବ୍ୟବସ୍ଥା ନାହିଁ । ଏଣୁ ପିଲାଙ୍କୁ ରନ୍ଧା ଖାଦ୍ୟ ଦେବା କାଠିକର ପାଠ ହୋଇଯାଉଛି । ନିଜର ଘର ନ ଥିବାରୁ ଟେକ୍ ହୋମ୍ ରାସନ ବା ଟିଏଚ୍ଆର ସାମଗ୍ରୀ ରଖିବାରେ ସମସ୍ୟା ଦେଖାଦେଉଛି । ମାସକୁ ମାସ ଆସୁଥିବା ଚାଉଳ, ଛତୁଆ, ଅଣ୍ଡା ଓ ଲଡୁ ସାଇତି ରଖି ପାରୁନାହାନ୍ତି କର୍ମୀ । ଯାହାକୁ ନେଇ କର୍ମୀ ଓ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ମେ ମାସର ସୂଚନା ଅନୁସାରେ ୬ ମାସରୁ ୩ ବର୍ଷ ମଧ୍ୟରେ ୬୫୨୯, ୩ ବର୍ଷରୁ ୫ ବର୍ଷ ମଧ୍ୟରେ ୫୩୫୪ ଓ ୫ ବର୍ଷରୁ ୬ ବର୍ଷ ମଧ୍ୟରେ ୮୩୮ ଜଣ ଶିଶୁ ଅଙ୍ଗନବାଡ଼ି କେନ୍ଦ୍ରରେ ପଞ୍ଜୀକରଣ ହୋଇଛନ୍ତି । ଧାମନଗର ଅଞ୍ଚଳରେ ଏବେ ଝାଡ଼ାବାନ୍ତି ବ୍ୟାପିଥିବାରୁ ଘର ନ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ପିଲାଙ୍କ ପାଇଁ ବିପଦ ରହିଛି । ଘର ନଥିବାରୁ ବିଶୁଦ୍ଧ ପାନୀୟ ଜଳର ସୁବିଧା ମଧ୍ୟ ନାହିଁ । ଏ ଦିଗରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଦୃଷ୍ଟି ଦେବାସହ ଶିଶୁ ବିଭାଗର  ବିଭିନ୍ନ ଅସୁବିଧାକୁ ପୂରଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।