ସୁରେନ୍ଦ୍ର ବ୍ଲକ୍ ବିଜେଡି ସଭାପତି

ତିହିଡି : ବିଜେଡିର ନୂତନ ସଭାପତି ଭାବେ ସୁରେନ୍ଦ୍ର ନାୟକ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ଶ୍ରୀ ନାୟକ ୧୯୭୪ ମସିହାରେ ବିଜୁବାବୁଙ୍କ ଦ୍ୱାରା ଗଠିତ ଉକ୍ରଳ କଂଗ୍ରେସରେ ଯୋଗ ଦାନ କରି ରାଜନୀତିକୁ ଓହ୍ଲାଇଥିଲେ । ପରେ ୧୯୯୭ ରୁ ୨୦୦୫ ପର୍ଯ୍ୟନ୍ତ ତିହିଡ଼ି ବ୍ଲକର ଜନତା ଓ ବିଜୁ ଜନତାଦଳର ସଭାପତି ଥିଲେ । ଅବିଭକ୍ତ କୋହ୍ଲ ପଞ୍ଚାୟତର ୨ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ସେବା ସମବାୟ ସମିତିର ୨ଥର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଭଦ୍ରକ-ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କର ଜଣେ ଡାଇରେକ୍ଟର ଭାବେ ରହିଥିଲେ । ୨୦୦୯-୨୦୧୯ ପର୍ଯ୍ୟନ୍ତ ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀଙ୍କର ତିହିଡ଼ି ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ ତୁଲାଉଥିଲେ । ୧୯୯୫ ମସିହାରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଜନତା ଦଳର ସଭାପତି ଓ ତକ୍ରାଳୀନ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ସ୍ୱର୍ଗତ ବୈରାଗୀ ଚରଣ ଜେନାଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ଦଳର ପୁରୁଖା ନେତା ଭାବେ ସମସ୍ତଙ୍କ ପ୍ରିୟଭାଜନ ହୋଇଥିବା ବେଳେ, ଦଳକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି ସଭାପତି ପଦ ପାଇବା ପରେ ସେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ଉପସଭାପତି ପ୍ରଣବ ପ୍ରକାଶ ଦାସ, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଧାୟକ ଡ. ବ୍ୟେମକେଶ ରାୟ, ପୂର୍ବତନ ବିଧାୟକ ବିଜୟ ନାୟ ଓ ରାଜେନ୍ଦ୍ର ଦାସ, ଧାମନଗର ନିର୍ବାଚନ ମଣ୍ଡଳୀ ନେତା ଡ. ସଂଜୟ ଦାସ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ଧନ୍ୟବାଦ ଦେଇଥିଲେ ।