ରାସ୍ତାରେ ଆଣ୍ଠୁଏ ପାଣି
ଗୋପ : ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନାଗପୁର ଛକ ଠାରୁ ଜୁନେଇ ମୁଖ୍ୟ ରାସ୍ତା ପ୍ରାୟ ୮ କିଲୋମିଟର ଆରଡ଼ି ରାସ୍ତା ଲାଗିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ବର୍ଷା ଜଳ ରାସ୍ତା ଉପରେ ଜମି ରହୁଛି । ଗୋପ ବ୍ଲକରେ ନାଗପୁର ଏକ ବ୍ୟବସାୟୀ କେନ୍ଦ୍ର । ଏହି ରାସ୍ତାରେ କୋଣାର୍କକୁ ସଂଯୋଗୀକରଣ ରାସ୍ତା ରହିଛି । ସପ୍ତାହକୁ ଦୁଇଦିନ ନାଗପୁର ହାଟ ବସେ ସେଥିପାଇଁ ସାଧାରଣଲୋକ ପ୍ରତ୍ୟେକ ହାଟ ଦିନ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ନାଗପୁର ଠାରୁ କୋଣାର୍କ ଅନେକ ମାଲବାହୀ ଯାନ ମଧ୍ୟ ଯାତାୟାତ କରିଥାଏ । ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଦିନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ସହ ପଥଚାରୀମାନେ ଯାତାୟାତ କରିଥାନ୍ତି । କିନ୍ତୁ ଉକ୍ତ ରାସ୍ତାରେ ଯିବା ଏକ ପ୍ରକାର ଯମଯନ୍ତ୍ରଣା ସହ ସମାନ । ଛୋଟ ଛୋଟ ସ୍କୁଲ ପିଲାମାନେ ଜୋତା ମୋଝା ପିନ୍ଧି ଚାଲିକି ଯାତାୟାତ ସମୟରେ ତାଙ୍କ ଗୋଡ଼ ଓଦା ହୋଇଯିବା ଫଳରେ ନାନାଦି ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି ।ଏହାଦ୍ୱାରା ଆଗକୁ ଡାଇରିଆ, ମ୍ୟାଲେରିଆ ଓ ମହାମାରୀ ବ୍ୟାପିବାର ଆଶଙ୍କା ରହିଛି । ଏଣୁ ଏଥିପ୍ରତି ଗୋପ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନାଗପୁର ଅଞ୍ଚଳର ବୁଦ୍ଧିଜୀବୀ ଓ ନାଗପୁର ସ୍ପୋର୍ଟ କ୍ଲବ ସମ୍ପାଦକ ସୁକାନ୍ତ ମିଶ୍ର ଅନୁରୋଧ କରିଛନ୍ତି ।