ବାରବାଟୀରେ ରୋହିତଙ୍କ ଶତକ

ବାରବାଟୀରେ ରୋହିତଙ୍କ ଶତକ

ଭୁବନେଶ୍ୱର : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଖରାପ ଫର୍ମ ଦେଇ ଗତି କରୁଥିଲେ । ଏଥିପାଇଁ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନା କରାଯାଉଥିଲା । କେବଳ ସେତିକି ନୁହେଁ ଅବସର ନେବା ପାଇଁ ମଧ୍ୟ ଚାପ ପକାଯାଉଥିଲା । ହେଲେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚ୍ରେ ରୋହିତ ଶତକ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ସେ ଫର୍ମକୁ ଫେରିଛନ୍ତି । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ତାଙ୍କ ଫର୍ମ ଦଳ ପାଇଁ ବେଶ ଜରୁରୀ ଥିଲା । ରୋହିତଙ୍କ ପାଇଁ ବାରବାଟୀ ପୂନର୍ବାର ଲକି ସାବ୍ୟସ୍ତ ହୋଇଛି । ଓଡ଼ିଶା କ୍ରିକେଟପ୍ରେମୀ ରୋହିତଙ୍କ ମନୋବଳ ବଢାଇଥିଲେ । ଆଉ ଏହାର ପ୍ରତି ବଦଳରେ ରୋହିତ ଚମକôାର ଶତକ ଭେଟି ଦେଇଛନ୍ତି । ୧୬ ମାସ ପରେ ରୋହିତ ଦିନିକିଆରେ ଶତକ ମାରିଛନ୍ତି ।
ଏହା ତାଙ୍କ ଦିିନିକିଆ କ୍ୟାରିୟରର ୩୨ତମ ଶତକ । ସେ ୧୧୯ ରନ କରି ଆଉଟ ହୋଇଥିଲେ । ତେବେ ଏହି ମ୍ୟାଚରେ ବିରାଟ କୋହଲି ଫେଲ ମାରିବା ପ୍ରଶଂସକଙ୍କୁ ନିରାଶ କରିଛି । ରୋହିତ ଆନ୍ତର୍ଜାତୀୟ କ୍ୟାରିୟରରେ ୪୯ ଶତକ ହାସଲ କରି ଭାରତୀୟ ଖେଳାଳିଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି । ସଚିନ ତେନ୍ଦୁଲକର ୧୦୦ ଶତକ ସହ ଶୀର୍ଷରେ ରହିଥିବା ବେଳେ ବିରାଟ କୋହଲି (୮୧) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରାହୁଲ ଡ୍ରାଭିଡ (୪୮), ସୌରଭ ଗାଙ୍ଗୁଲି (୩୮) ଓ ବୀରେନ୍ଦ୍ର ସେହ୍ୱାଗ ୩୮ ଶତକ ହାସଲ କରିଛନ୍ତି । ରୋହିତ ମାତ୍ର ୭୬ ବଲରେ ୭ଟି ଛକା ଓ ୯ ଚୌକା ସହ ତାଙ୍କ ଶତକ ପୂରଣ କରିଥିଲେ । ରୋହିତ ଏଠାରେ ୩ଟି ମ୍ୟାଚ୍ ଖେଳି ୭୧.୫୦ ଆଭରେଜରେ ୧୪୩ ରନ କରିଛନ୍ତି ।

ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ୍ରେ ଭାରତର ଅଧିନାୟକ ରୋହିତ ଶର୍ମା ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ହିଟ୍ମ୍ୟାନ ଭାବେ ପରିିଚିତ ରୋହିତ ଏହି ମୁକାବିଲାରେ ଫର୍ମକୁ ଫେରିବା ସହ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ରେ ଅଧିକ ଛକା ମାରିବାରେ ରୋହିତ ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି । ଗେଲ ୩୩୧ ଛକା ମାରିଥିଲେ । ତେବେ ଏହି ତାଲିକାରେ ପାକିସ୍ତାନର ଶାହୀଦ ଆଫ୍ରିଦୀ ୩୫୧ ଛକା ସହ ପ୍ରଥମ ସ୍ଥାନରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସନଥ ଜୟସୂରିୟା ୨୭୦, ମହେନ୍ଦ୍ର ସିଂ ଧୋନୀ ୨୨୯ ଓ ଇଅନ ମୋର୍ଗାନ ୨୨୦ ଛକା ମାରିଛନ୍ତି । ରୋହିତ ୭୩ ରନ୍ କରି ଅପରାଜିତ ରହିଥିବା ଅବସରରେ ୫ ଛକା ମାରି ସାରିଛନ୍ତି । ଭାରତ ୩୦୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଖବର ହସ୍ତଗତ ହେଲା ବେଳକୁ ୧୬.୫ ଓଭରରେ ୧ ୱିକେଟ ହରାଇ ୧୩୭ ରନ କରିଛି । ଶୁଭମନ ଗିଲ୍ ୬୦ ରନ କରି ଆଉଟ ହୋଇଛନ୍ତି ।