ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଭାଙ୍ଗିଲା ଏକାଧିକ ରେକର୍ଡ

ଚାମ୍ପିଅନ୍ସ ଟ୍ରଫିର ପଞ୍ଚମ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିଲା ।  ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଅନେକ ରେକର୍ଡ ଭାଙ୍ଗିଛନ୍ତି । ଗୋଟିଏ ପଟେ, ବିରାଟ କୋହଲି ଦିନିକିଆ କ୍ୟାରିୟରରେ ୧୪ ହଜାର ରନ୍‌ ପୂରଣ କରିଛନ୍ତି । ଅନ୍ୟପକ୍ଷରେ, ରୋହିତ ଶର୍ମା ମଧ୍ୟ  ଓପନିଂ ବ୍ୟାଟର ଭାବରେ ଦ୍ରୁତତମ ୯ ହଜାର ଦିନିକିଆ  ସଂଗ୍ରହ କରି ରେକର୍ଡ ଭାଙ୍ଗିଛନ୍ତି ।  ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି  ୨୪୧ ରନ୍ କରିଥିଲା । 

ଦିନିକିଆ କ୍ରିକେଟ ଇତିହାସରେ ୧୪ ହଜାର ରନ ପୂରଣ କରିବାରେ ବିରାଟ କୋହଲି କେବଳ ତୃତୀୟ କ୍ରିକେଟର । ତାଙ୍କ ପୂର୍ବରୁ କେବଳ ସଚିନ ତେନ୍ଦୁଲକର ଏବଂ କୁମାର ସାଙ୍ଗାକାରା ଏହି କାରନାମା କରିପାରିଥିଲେ । ବିରାଟ କୋହଲି ୨୮୭ତମ ଦିନିକିଆ ଇନିଂସରେ ଏହି ସଫଳତା ହାସଲ କରିବା ସହିତ ଦ୍ରୁତତମ ୧୪ ହଜାର ରନ ପୂରଣ କରିବା କ୍ଷେତ୍ରରେ ଆଗୁଆ ରହିଛନ୍ତି । ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ୩୫୦ ଇନିଂସ ଏବଂ କୁମାର ସାଙ୍ଗାକାରାଙ୍କୁ ୧୪ ହଜାର ରନ୍ ପୂରଣ କରିବାକୁ ୩୭୮ଟି ଇନିଂସ ଲାଗିଥିଲା । 

ପାକିସ୍ତାନ ବିପକ୍ଷରେ କେବଳ ବିରାଟ କୋହଲି ନୁହଁନ୍ତି ବରଂ ରୋହିତ ଶର୍ମା ମଧ୍ୟ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ଦଳ ପାଇଁ ଓପନିଂ କରି, ରୋହିତ ଶର୍ମା ୯ ହଜାର ଦିନିକିଆ ରନ୍ ପୂରଣ କରିବାରେ ବିଶ୍ୱର କେବଳ ଷଷ୍ଠ କ୍ରିକେଟର ହୋଇ ପାରିଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକର, ସନତ ଜୟସୁରିଆ, କ୍ରିସ୍ ଗେଲ୍, ଆଡାମ ଗିଲଖ୍ରୀଷ୍ଠ ଏବଂ ସୌରଭ ଗାଙ୍ଗୁଲି ହାସଲ କରିଥିଲେ । ରୋହିତ ଜଣେ ଓପେନିଂ ବ୍ୟାଟର ଭାବରେ ୧୮୧ ଇନିଂସରେ ୯ ହଜାର ଦିନିକିଆ ରନ୍ ପୂରଣ କରିଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା, ଯିଏକି ଓପେନିଂ ବ୍ୟାଟର ଭାବରେ ୧୯୭ ଇନିଂସରେ ୯ ହଜାର ରନ ପୂରଣ କରିଛନ୍ତି । 
  ରୋହିତ ଏହି ଟୁର୍ଣ୍ଣାମେଣ୍ଟରେ ୧୧ ହଜାର ଦିନିକିଆ ରନ୍ ପୂରଣ କରିବାର ରେକର୍ଡ ହାସଲ କରିଛନ୍ତି ।   ସେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୧୧ ହଜାର ରନ୍ ପୂରଣ କରିଥିଲେ, ଏଥିପାଇଁ ସେ ୨୬୧ ଇନିଂସ ନେଇଥିଲେ । ଦ୍ରୁତତମ ସମୟରେ ୧୧ ହଜାର ରନ୍ ପୂରଣ କରିବା କ୍ଷେତ୍ରରେ ବିରାଟ କୋହଲିଙ୍କ ନାମ ଶୀର୍ଷରେ ଅଛି, ଯିଏ ମାତ୍ର ୨୨୨ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ ।