ଆମିଷ ବେସରରେ ମହକୁଛି ଶକ୍ତିପୀଠ

ଆମିଷ ବେସରରେ ମହକୁଛି ଶକ୍ତିପୀଠ
ଦୁର୍ଗାପୂଜା ହିନ୍ଦୁଧର୍ମାବଲମ୍ବୀ ମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ ।ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ବିଶେଷଭାବେ ଶରତ ଋତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ  ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଳ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ରି ରୂପେ ପାଳନ କରାଯାଇଥାଏ l ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠମାନଙ୍କ ମଧ୍ୟରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ  ମା’ ମଙ୍ଗଳାଙ୍କ ପୀଠ ଅନ୍ୟତମ। ପ୍ରାଚୀ ନଦୀର ସୁରମ୍ୟ ତଟଦେଶରେ ମା’ଙ୍କ ମନ୍ଦିର ଅବସ୍ଥିତ। ବର୍ଷର ବିଭିନ୍ନ ସମୟରେ ମା’ଙ୍କ ଯାନିଯାତ୍ରା, ପର୍ବପର୍ବାଣୀ ଅନୁଷ୍ଠିତ ହୋଇଥାଏ l ମା ' ମଙ୍ଗଳାଙ୍କ ମନ୍ଦିରରେ ପାରମ୍ପାରିକ ପ୍ରଥା ଅନୁସାରେ ଆଶ୍ୱିନ ମାସର ମୂଳାଷ୍ଟମୀ ତିଥିଠାରୁ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇ ବିଜୟାଦଶମୀ ବା ଦଶହରା ଦିନ ଶେଷ ହେଇଥାଏ । ପ୍ରଥମ ଦିନ କଳସ ପୂଜା ଆରମ୍ଭ ହେଇ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୁଏ । ଏକ ତମ୍ବାପାତ୍ରରେ ଅଗରୁ, ଚନ୍ଦନ, ହଳଦୀ, ଚୁଆ, କ୍ଷୀର, ମହୁ, ନବାତ ଆଦି ଶୁଦ୍ଧପାଣିରେ ମିଶାଯାଇ ୧୦୮ କଳସ ଜଳରେ ମା'ଙ୍କୁ ସ୍ନାନମାର୍ଜଣା କରାଯାଏ। ସାଧାରଣତଃ
ପ୍ରତ୍ୟେକ ଦିନ ମା' ସ୍ନାନ ସମୟରେ ମନ୍ଦିରର ପହୁଡ଼
ପଡୁଥ‌ିବା ବେଳେ ଏହିଦିନ ସ୍ନାନ ସମୟରେ ସାହାଣମେଲା ରଖାଯାଉଥିବାରୁ ଭକ୍ତମାନେ ମା'ଙ୍କ ସଂପୂର୍ଣ୍ଣ ଅବୟବ ସହିତ ସ୍ନାନମାର୍ଜଣା ନୀତିର ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏହା ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ ।ସନ୍ଧ୍ୟାକୁ ସକାଳ ଧୂପ ହୁଏ । ପରେ ସନ୍ଧ୍ୟା ଆଳତି, ସ୍ନାନ
ମାର୍ଜଣା ହୁଏ ଏବଂ ମା'ଙ୍କୁ ସାଧାରଣ ବେଶରେ ସଜାଇ ଦର୍ଶନ ପାଇଁ ମନ୍ଦିରର ସାହାଣ ମେଲା କରାଯାଏ । ରାତି ପ୍ରାୟ ୩ ଟାକୁ ରାତ୍ରଧୂପ ଓ ପରେ ବଡ଼ସିଂହାର ନୀତି କରାଯାଇ ପହୁଡ଼ କରାଯାଏ । ମନ୍ଦିର ବେଢାରେ ପ୍ରତ୍ୟେହ ପ୍ରାତଃରେ ଜପ ଓ ମଧ୍ୟାହ୍ନରେ ସପ୍ତସତୀ ଚଣ୍ଡିପାଠ କରାଯାଏ l
ମୂଳାଷ୍ଟମୀ ଠାରୁ ତୃତୀୟା ପର୍ଯ୍ୟନ୍ତ ଏହି ପରି ନୀତି
ଅନୁଷ୍ଠିତ ହେଇଥାଏ । ଶାରଦୀୟ ପାର୍ବଣ ପୂଜାରେ ମା ଙ୍କ ମନ୍ଦିରରେ ଆମିଷ ଭୋଗ ଏକ ନିଆରା ପରମ୍ପରା l ପୂର୍ବ ପରମ୍ପରା ଅନୁଯାୟୀ ରୋଷଶାଳାରେ ସୁପକାର ସେବକଙ୍କ ଦ୍ୱାରା ଆମିଷ ବେସର ପ୍ରସ୍ତୁତ କରାଯାଇ ମା ଙ୍କ ଚଳନ୍ତି ପ୍ରତିମା ବନଦୁର୍ଗାଙ୍କ ନିକଟରେ ମା ଙ୍କ ଉଦ୍ଦେଶ୍ୟରେ ଲାଗି କରାଯାଏ l ପରେ ଉକ୍ତ ଭୋଗ କରାଯାଇଥାଏ l ଚତୁର୍ଥୀ ତିଥି ସନ୍ଧ୍ୟାରେ ମା'ଙ୍କୁ କଲିବେଶରେ ସଜ୍ଜିତ କରାଯାଏ । ମା'ଙ୍କ ପ୍ରତିମା ପଛପଟେ ସୁନ୍ଦର ଧଡ଼ିଥ‌ିବା ଶାଢ଼ୀ ପ୍ରଭା ଭାବେ ସଜ୍ଜିତ କରାଯାଇଥିବାରୁ ଏହି ବେଶକୁ କଲିବେଶ କୁହାଯାଏ । ପଞ୍ଚମୀ ତିଥିରେ ମା'ଙ୍କୁ ତୀରକମାଣ ବା ରଘୁନାଥ ବେଶରେ ସଜ୍ଜିତ କରାଯାଏ ।କାଠ ତିଆରି ଗୋଡ଼ ଓ ହାତରେ ଧନୁତୀର, କାମାଣ ଆଦି ଅସ୍ତ୍ରଶସ୍ତ୍ର ମା'ଙ୍କୁ ଲାଗି କରାଯାଏ । ପଞ୍ଚମୀ ଠାରୁ
ମହାଷ୍ଟମୀ ପର୍ଯ୍ୟନ୍ତ ମଙ୍ଗଳାଙ୍କ ମନ୍ଦିରରେ ପ୍ରମଣି ନୀତି ନାମକ ଏକ ସ୍ଵତନ୍ତ୍ର ନୀତି ପାଳନ ହୋଇଥାଏ। ଉକ୍ତ ଦିନମାନଙ୍କରେ ବିଳମ୍ବିତ ରାତିରେ ମା'ଙ୍କ ଚଳନ୍ତି  ପ୍ରତିମାକୁ ଏକ ସୁସଜ୍ଜିତ ମଣିବିମାନରେ ପାର୍ବଣ ମଣ୍ଡପକୁ ନେଇ ବିଜେ କରାଯାଏ । ବିଶ୍ଵାସ ରହିଛି ମହିଷାସୁରକୁ
ଠାବ କରିବା ପାଇଁ ମା' ସବୁଆଡେ ଭ୍ରମଣ କରନ୍ତି ।ଷଷ୍ଠି ତିଥିରେ ମା' ଶୋଭା ପାଆନ୍ତି କାତିଖର୍ପର ବେଶରେ। ପୂର୍ବରୁ ମା'ଙ୍କୁ ଲାଗି ହେଇଥ‌ିବା ଅସ୍ତ୍ରଶସ୍ତ୍ର ସହିତ ଏହିଦିନ କାତି (ଖଣ୍ଡା), ଖର୍ପର (ବର୍ଚ୍ଛା), ସରା (ରକ୍ତ ସଂଗ୍ରହ ପାତ୍ର) ପ୍ରଭୃତି ଅସ୍ପୃଶ ଲାଗି କରାଯାଇଥାଏ।ମହିଷାସୁର ସହିତ ଯୁଦ୍ଧ କରିବାକୁ ଯିବା ପୂର୍ବରୁ ମା' ଦୁର୍ଗା ଯେଉଁ ସବୁ କାର୍ଯ୍ୟ କରିଥିବା ଚଣ୍ଡି ପୁରାଣରେ ବର୍ଣ୍ଣିତ ହୋଇ ତଦନୁସାରେ ମା' ମଙ୍ଗଳାଙ୍କୁ ସଜ୍ଜିତ କରାଯାଏ । ସପ୍ତମୀ ତିଥିରେ ମା'ଙ୍କୁ ସିଂହବାହିନୀ ବେଶରେ ସଜ୍ଜିତ କରାଯାଏ ।
ପାର୍ବଣ ପୂଜାରେ ଅନୁଷ୍ଠିତ ବେଶଗୁଡିକ ମଧ୍ୟରୁ ଏହି ବେଶ ମା'ଙ୍କର ପ୍ରସିଦ୍ଧ ବେଶ । ମହାଷ୍ଟମୀ ତିଥିରେ ମା'ଙ୍କୁ ମହିଷାମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯାଏ । ଏହି ବେଶରେ ମା' ମଙ୍ଗଳାଙ୍କ ଶାନ୍ତ ସରଳ ଆଖି ଭୟଙ୍କର ଦେଖାଯାଏ । ବିଳମ୍ବିତ ରାତିରେ ସନ୍ଧିପୂଜା ଓ କୁଷ୍ମାଣ୍ଡବଳୀ ନୀତି ଅନୁଷ୍ଠିତ ହୋଇଥାଏ ।ଅତୀତରେ ଏଠାରେ ମହିଷ (ମଇଁଷି) ବଳି ପଡୁଥିଲା । ଏବେ ଆଉ ସେ ପ୍ରଥା ନାହିଁ । ୧୯୬୯ମସିହାରୁ ମହିଷ ବଳିପ୍ରଥା ବନ୍ଦହେଇ କୁଷ୍ମାଣ୍ଡ (ପାଣିକଖାରୁ) ବଳି ଦିଆଯାଉଛି ।ନବମୀ ତିଥିରେ ମା'ଙ୍କ ଉଗ୍ର ରୂପକୁ ଶାନ୍ତ କରିବାକୁ ଶାନ୍ତି
ପୂଜା, ଶାନ୍ତି ହୋମ ଓ ଶାନ୍ତି ବେଶ ଅନୁଷ୍ଠିତ ହେଇଥାଏ । ମା'ଙ୍କୁ ଏହି ଦିନ ଧଳାଶାଢ଼ୀ ଓ ଧଳା ଫୁଲରେ ସଜ୍ଜିତ କରାଯାଏ ।ଶେଷଦିନ ଅର୍ଥାତ ଦଶହରା ଦିନ ମା' ଙ୍କ ଚଳନ୍ତି ପ୍ରତିମାକୁ
ଏକ ସୁସଜ୍ଜିତ ବିମାନରେ ଆଲୋକ, ଆତସବାଜିର
ପଟୁଆରରେ ମନ୍ଦିରରୁ କିଛି ଦୂର ସମେଶ୍ବର ଶମ୍ଭୁ ମନ୍ଦିରକୁ ନିଆଯାଏ । ବିଜୟା ଦଶମୀ ବା ଦଶହରା ଦିନ ମନ୍ଦିରରେ ଦୁର୍ଗା ଓ ମା’ ମଙ୍ଗଳାଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ସୋମେଶ୍ବର ଶମ୍ଭୁଙ୍କ ମନ୍ଦିରକୁ ନିଆଯାଏ । ସେଠାରେ ୩ ଥର ମନ୍ଦିର ପରିକ୍ରମା ପରେ ଶିବ ଓ ଦୁର୍ଗାଙ୍କ ଭେଟ ହୁଏ। ଯାହା ହରଦୁର୍ଗା ଭେଟ ନାମରେ ପରିଚିତ। ଏହାପରେ ପ୍ରତିମା ସ୍ବମନ୍ଦିରକୁ ଫେରିବାପରେ ମା’ଙ୍କ ଶାରଦୀୟ ପାର୍ବଣ ପୂଜାର ପରିସମାପ୍ତି ଘଟିଥାଏ।