ଅନନ୍ୟ ଶୈବପୀଠ ଦାନଦକ୍ଷିଣା ମନା

ଦେଶରେ ଏପରି ଏକ ଶୈବପୀଠ ରହିଛି, ଯେଉଁଠି ଦାନଦକ୍ଷିଣା ସମ୍ପୂର୍ଣ୍ଣ ରୂପେ ମନା । ଏହି ମନ୍ଦିର ଡେରାଡୁନ ସହରରୁ ୧୦ କିଲୋମିଟର ଦୂର ମସୁରୀ ରୋଡ ନିକଟରେ ରହିଥିବା ଜଣାପଡ଼ିଛି । ଶ୍ରୀ ପ୍ରକାଶେଶ୍ୱର ମହାଦେବ ମନ୍ଦିର ୩୪ ବର୍ଷ ତଳେ ସ୍ଥାପନା କରାଯାଇଥିଲା । ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ଏଠାକୁ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଥାଏ ଓ ମନ୍ଦିରକୁ ନିର୍ମାଣ କରିଥିବା ଗୁରୁଜୀ ଶିବଦାସ ମୂଳଚନ୍ଦ ଖତ୍ରୀ ଚାହୁଁଥିଲେ, ଏପରି ଏକ ମନ୍ଦିର ନିର୍ମାଣ କରାଯାଉ, ଯେଉଁଠି ଭକ୍ତଙ୍କଠାରୁ କୌଣସି ଦାନଦକ୍ଷିଣା ଗ୍ରହଣ ନ କରାଯାଉ । କାରଣ ମନୁଷ୍ୟ ଭଗବାନଙ୍କଠାରୁ ହିଁ ସବୁକିଛି ପ୍ରାପ୍ତ କରିଥାଏ । ସବୁକିଛି ଭଗବାନଙ୍କର ହିଁ ଦାନ । ତେଣୁ ମଣିଷ ଭଗବାନଙ୍କୁ ଦାନସ୍ୱରୂପ କ'ଣ ବା ଦେଇପାରିବ । ଏହି ଉଦ୍ଦେଶ୍ୟ ରଖି ସେ ଏପରି ଏକ ନିଆରା ମନ୍ଦିରର ପରିକଳ୍ପନା କରିଥିଲେ । ସେହିପରି ଏହି ମନ୍ଦିରରେ ସ୍ଥାପନ ହୋଇଥବା ଶିବଲିଙ୍ଗ ସ୍ଫଟିକରେ ନିର୍ମିତ । ଯାହା ଏହି ମନ୍ଦିରକୁ ଅନ୍ୟ ମନ୍ଦିରଠାରୁ ସ୍ୱତନ୍ତ୍ର କରୁଛି । ଏହି ମନ୍ଦିରର ଉପରିଭାଗରେ ୧୫୦ ରୁ ଅଧିକ ସଂଖ୍ୟକ ତ୍ରିଶୂଳ ନିର୍ମିତ ହୋଇଛି । ପାହାଡ଼ ପର୍ବତଘେରା ଏହି ଭବ୍ୟ ମନ୍ଦିର ଏହାର କାରୁକାର୍ଯ୍ୟ ଯୋଗୁଁ ମଧ୍ୟ ଭକ୍ତଙ୍କୁ ଆକର୍ଷିତ କରିଥାଏ ।