ଅମୀୟଙ୍କ ନିରବତା ବିଜେପି ପାଇଁ ବୁମେରାଂ ହେବନି ତ?
ଯାଜପୁର,: କଂଗ୍ରେସରୁ ଆସି ବିଜେପିରେ ମିଶିଲେ । ହେଲେ ବିଜେଡ଼ିର ବିଜୟଧାରାକୁ ଭାଙ୍ଗି ପାରିଲେନି । ତେଣୁ ବିଜେପି ତାଙ୍କୁ ଆଉ ଭରସା କରିପାରିଲାନି । ଏଣୁ ୨୪ ନିର୍ବାଚନରେ ବରିଷ୍ଠ ନେତା ଅମୀୟ ମଲିକଙ୍କୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କଲାନି । ଅମୀୟ ଏଥର ଲୋକସଭା ବଦଳରେ ବିଞ୍ଝାରପୁର ବିଧାନସଭାରୁ ନିର୍ବାଚନ ଲଢିବାକୁ ପୁରାଦମରେ ଲାଗିପଡ଼ିଥିଲେ । ହେଲେ ବିଜେପି ହାଇକମାଣ୍ଡ ବିଞ୍ଝାରପୁରରୁ ବବିତା ମଲିକଙ୍କୁ ପ୍ରାର୍ଥୀ କଲା । ଲୋକସଭା କ୍ଷେତ୍ରରେ ରବୀନ୍ଦ୍ର ନାରାୟଣ ବେହେରାଙ୍କ ପସନ୍ଦ କଲା ଦଳ । ନାଁ ଲୋକସଭା ଲଢିପାରିଲେ ନାଁ ବିଧାନସଭା ଲଢିବାର ସୁଯୋଗ ପାଇଲେ ଅମୀୟ । ଟିକେଟରୁ ବଞ୍ଚିତ ହେବା ପରେ ନିର୍ବାଚନ ମହାପର୍ବରେ ଦୀର୍ଘ ୨୦ବର୍ଷରୁ ଅଧିକ ଦିନ ଧରି ସାମିଲ ହେଉଥିବା ଅମୀୟ ପ୍ରତ୍ୟକ୍ଷ ରାଜନୀତିରେ ନଥିବା ବେଳେ ପରୋକ୍ଷ ରାଜନୀତିରେ ଅଲୋଡ଼ା ହୋଇପଡ଼ିଛନ୍ତି । ବିଜେପି ତାଙ୍କୁ ଟିକେଟ ଦେଇନଥିଲେ ବି ସେ ବିଦ୍ରୋହ କରି ଦଳ ବିରୁଦ୍ଧରେ ପାଟିଖୋଲି ନାହାନ୍ତି କି ଅନ୍ୟ କୈାଣସି ଦଳକୁ ଯାଇନାହାନ୍ତି । କିନ୍ତୁ କୌଣସି ଦଳୀୟ ପ୍ରାର୍ଥୀ କେହି ତାଙ୍କୁ ଖୋଜୁ ନାହାନ୍ତି କି ଲୋଡ଼ୁ ନାହାନ୍ତି । ଏଣୁ ନିର୍ବାଚନ ସମୟରେ ବିଶ୍ରାମ ନେଉଛନ୍ତି ଅମୀୟ । ଅମୀୟ ବିଶ୍ରାମ ନେଉଥିବା ବେଳେ ତାଙ୍କ ସମର୍ଥକ ପୁରା ନିରବ । ଯଦିଓ କିଛି ସମର୍ଥକ ନିର୍ବାଚନ ମହାପର୍ବରେ ନିଜକୁ ସାମିଲ କରିବାକୁ ବିଜେଡ଼ିରେ ସାମିଲ ହୋଇଛନ୍ତି, କିନ୍ତୁ ଅଧିକାଂଶ ନିରବ ରହିଛନ୍ତି । ନାଁ ଦଳୀୟ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ବାହାରୁଛନ୍ତି ନା ଲୋକସଭା ପ୍ରାର୍ଥୀଙ୍କ ପାଇଁ କାହା ପାଖକୁ ଯାଇ ଭୋଟ ମାଗୁଛନ୍ତି । ଏହାହିଁ ବିଜେପି ପାଇଁ ବୁମେରାଂ ହୋଇପାରେ । ଅମୀୟଙ୍କ ନିରବତାର ପ୍ରଭାବ ବିଞ୍ଝାରପୁର ସହ ଯାଜପୁର ବିଧାନସଭା କ୍ଷେତ୍ର ଉପରେ ଯେତିକି ପଡ଼ିବାର ଆଶଙ୍କା କରାଯାଉଛି, ଲୋକସଭା କ୍ଷେତ୍ରରେ ମଧ୍ୟ ସମାନ ପ୍ରଭାବ ପଡ଼ିପାରେ । ଦୀର୍ଘ ୨୫ବର୍ଷ ଧରି ରାଜନୀତିରେ ସକ୍ରିୟ ରହି ନିଜର ସ୍ୱତନ୍ତ୍ର ସଂଗଠନ କରିବାରେ ସମର୍ଥ ହୋଇପାରିଛନ୍ତି । ଦଶରଥପୁର ବ୍ଲକ ନିବାସୀ ଅମୀୟଙ୍କ ନିର୍ବାଚନ ମଣ୍ଡଳୀ ହେଉଛି ବିଞ୍ଝାରପୁର । ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ହୋଇଥିଲେ ଅମୀୟଙ୍କ ପ୍ରଭାବ ଯାଜପୁର ବିଧାନସଭା ସହ ଅନ୍ୟ ବିଧାନସଭା କ୍ଷେତ୍ରରେ ଅନେକାଂଶରେ ରହିଛି । ଅମୀୟଙ୍କ ରହିଛନ୍ତି ଅନେକ ସମର୍ଥକ । ଯେଉଁ ମାନେ କି ଅମୀୟଙ୍କୁ ବିଜେପି ଅଲୋଡ଼ା କରିବାଟାକୁ ସହଜରେ ହଜମ କରିପାରୁ ନାହାନ୍ତି । ନିରାଶ ଅମୀୟ ନିରବ ହୋଇ ବସିଛନ୍ତି । ନାଁ ତାଙ୍କୁ ଲୋକସଭା ପ୍ର୍ରାର୍ଥୀ ରବୀନ୍ଦ୍ର ନାରାୟଣ ଖୋଜୁଛନ୍ତି ନାଁ ବିଞ୍ଝାରପୁର ନାଁ ଯାଜପୁର ବିଧାସଭା ପ୍ରାର୍ଥୀ ଲୋଡ଼ୁଛନ୍ତି । ବିଜେପି ନିରାଶ କରିବା ପରେ ନିରାଶ ଅମୀୟ ବିଶ୍ରାମ ନେଉଛନ୍ତି । କାହା ପାଇଁ ପ୍ରଚାର କରିବାକୁ ଯାଉ ନାହାନ୍ତି କି କେହିବି ତାଙ୍କୁ ଖୋଜୁ ନାହାନ୍ତି । ରାଜନୀତିରେ ଅନେକ ଅଭିଜ୍ଞତା ରଖିଥିବା ଅମୀୟଙ୍କ ନିରବତାର ପ୍ରଭାବ ଦଳୀୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କ ଉପରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଞ୍ଝାରପୁର ସହ ଯାଜପୁର ବିଧାନସଭା କ୍ଷେତ୍ରରେ ଅମୀୟଙ୍କ ହଜାର ହଜାର ସମର୍ଥକ ରହିଛନ୍ତି । ଯେଉଁ ମାନଙ୍କର ବି ବିଜେପିର ଅଙ୍କ ବିଗାଡ଼ିବାର ଦକ୍ଷତା ରହିଛି । ଯଦି ସମର୍ଥକ ଅଙ୍କ ବିଗାଡ଼ିବା ଦିଗରେ କାର୍ଯ୍ୟ କରନ୍ତି, ତେବେ ବିଜେପି ପାଇଁ ଲୋକସଭା ସହ ବିଞ୍ଝାରପୁର, ଯାଜପୁର ବିଧାନସଭା ବିଜୟ ସ୍ୱପ୍ନ ସ୍ୱପ୍ନରେ ହିଁ ରହଯିବ । ଅମୀୟଙ୍କ ସହ ଆଲୋଚନା ବେଳେ କହିଥିଲେ କି ମୁଁ ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଇ ବିଶ୍ରାମ ନେଉଛି । ଦଳୀୟ ଲୋକସଭା କି ବିଧାନସଭା ପ୍ରାର୍ଥୀ ତାଙ୍କୁ ଖୋଜୁ ନାହାନ୍ତି କି ପଚାରୁ ନାହାନ୍ତି । ତେଣୁ ମୁଁ ପ୍ରଚାରରୁ ଦୂରରେ ରହିଛି । ଅମୀୟଙ୍କ ଏହି କଥା ସ୍ପଷ୍ଟ କରୁଛି କି ପ୍ରାର୍ଥୀଙ୍କ ପାଇଁ ଅମୀୟ ଅଲୋଡ଼ା ହୋଇପଡ଼ିଛନ୍ତି । ଏହି କାରଣରୁ ରାଜନୈତିକ ମହଲରେ ଆଲୋଚନା ଅମୀୟଙ୍କ ପାଇଁ ବିଜେପିର ଅଙ୍କ ବିଗିଡ଼ିଯାଇପାରେ । ଏଠାରେ ପ୍ରକାଶ ଥାଉକି ଥରେ ବିଧାନସଭା ସହ ୨୦୦୪ ଓ ୨୦୦୯ରେ କଂଗ୍ରେସ ଓ ୨୦୧୪-୧୯ରେ ବିଜେପିରୁ ଲୋକସଭା ପ୍ରାର୍ଥୀ ହୋଇଥିଲେ ।