୫ ହଜାର ଦେଇ ୫୦ ହଜାର ଲେଖିବାର ଅଭିପ୍ରାୟ ପ୍ରତାରଣା: ସ୍ନେହାଙ୍ଗିନୀ ଛୁରିଆ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ୟ୍ୟକ୍ରମରେ ହିତାଧିକାରୀଙ୍କୁ ପ୍ରଦାନ କରିଥିବା ଚେକ୍ରେ ବଡ଼ ବଡ଼ ଅକ୍ଷରରେ ୫୦ ହଜାର ଟଙ୍କା ଲେଖା ଯାଇଥିବା ବେଳେ ତଳେ ଛୋଟ ଅକ୍ଷରରେ ୫ ବର୍ଷରେ ପାଇବେ ବୋଲି ଲେଖାଯାଇଛି। ଦେଲେ ୫ ହଜାର, ଲେଖିଲେ ୫୦ ହଜାର। ୫ ହଜାର ଦେଇ ୫୦ ହଜାର ଲେଖିବାର ଅଭିପ୍ରାୟ ପ୍ରତାରଣା ନୁହେଁ ତ ଆଉ କ’ଣ ବୋଲି ଛୁରିଆ ପ୍ରଶ୍ନ କରିଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାରେ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ଲାଭବାନ ହେବେ ବୋଲି କହିଛନ୍ତି, ଯାହାର ଅର୍ଥ ରାଜ୍ୟର ପ୍ରାୟ ୨ କୋଟି ମହିଳାଙ୍କ ଭିତରୁ ଅଧିକାଂଶ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିିତ ହେବେ ବୋଲି ସ୍ପଷ୍ଟ ହୋଇଯାଇଛି। ସେହିପରି ଅଙ୍ଗନଓ୍ବାଡ଼ି, ଆଶାକର୍ମୀ, ସିଆର୍ପି, ଏମ୍ବିକେ ଭାବେ କାର୍ୟ୍ୟରତ ମହିଳାମାନେ ଏହି ଯୋଜନାରୁ ସୁଫଳ ପାଇବେ କି ନାହିଁ ତାହା ଏ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗୋଟିଏ ପଟେ ଏହି ମହିଳାମାନେ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ବୋଲି ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇ ଥିଲେ ହେଁ ସୁଭଦ୍ରାର ନିର୍ଦ୍ଦେଶାବଳୀରେ ମାସିକ ୧୫୦୦ ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାରକ୍ଷମ ମହିଳାମାନେ ଯୋଗ୍ୟ ନୁହନ୍ତି ବୋଲି ଦର୍ଶାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଆଜିର କାର୍ୟ୍ୟକ୍ରମକୁ ସଫଳ କରିବାରେ ଏମାନଙ୍କର ଭୂମିକା ରହିଛି। ତେଣୁ ଯଦି ସେମାନେ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚତ୍ତ ହୁଅନ୍ତି, ତା’ହେଲେ ଏହା ତାଙ୍କ ପ୍ରତି ପ୍ରଚାରଣା ସଦୃଶ। ସରକାର ଏ ବିଷୟକୁ ତୁରନ୍ତ ସ୍ପଷ୍ଟ କରନ୍ତୁ। ନଚେତ୍ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।