କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଆଭିମୁଖ୍ୟ ନୈରାଶ୍ୟଜନକ: ସଞ୍ଜୟ ଦାସବର୍ମା

ଭୁବନେଶ୍ୱର:କେନ୍ଦ୍ର ଗତ ୧୦ ବର୍ଷରେ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ନୁହେଁ, ଅବହେଳା କରିଥିବା ବିଜେଡି ଅଭିଯୋଗ କରିଛି। ଶଙ୍ଖଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନ କାଳରେ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଇଥିବା ବକ୍ତବ୍ୟକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।
ଦାସବର୍ମା କହିଛନ୍ତି, ଓଡ଼ିଶାରୁ ଭାଜପା ସରକାର ୨୧ରୁ ୨୦ ଏମ୍ପି ହାସଲ କରିଥିବା ବେଳେ ଚଳିତ ବଜେଟରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଆଭିମୁଖ୍ୟ ନୈରାଶ୍ୟଜନକ। ବିହାରକୁ ୨୬ ହଜାର କୋଟି ଓ ଆନ୍ଧ୍ର ପ୍ରଦେଶକୁ ୧୬ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ଅନୁଦାନ ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳା ସ୍ପଷ୍ଟ ଦେଖାଯାଉଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବୃହତ୍ତର ସ୍ବାର୍ଥ ପାଇଁ ପୂର୍ବାଞ୍ଚଳ କାଉନସିଲ୍ ବୈଠକରେ କୋଇଲା ରୟାଲଟି ସଂଶୋଧନ କରି ୧୪%ରୁ ୨୦% କରିବା ପାଇଁ ଦାବି କରିଆସିଛନ୍ତି। କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ୩ ବର୍ଷରେ ରୟାଲଟି ସଂଶୋଧନ ହେବାର ଥିଲା ବେଳେ ଏହାକୁ ଅଣଦେଖା କରାଯାଇଛି। ସୁପ୍ରିମକୋର୍ଟଙ୍କ ୯ ଜଣିଆ ଖଣ୍ଡପୀଠ ଚଳିତ ବର୍ଷ ଜୁଲାଇ ୨୫ରେ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟ ସରକାର ରାଜ୍ୟର ଖଣିଜ ଅଞ୍ଚଳ ଓ ଖଣିଜ ସମ୍ପଦ ଉପରେ ସେସ୍ ଓ ଟିକସ ଲଗାଇ ପାରିବେ ଏବଂ ୨୦୦୫ଠାରୁ ଏ ପର୍ୟ୍ୟନ୍ତ ବକେୟା ରାଜସ୍ବ ଖଣି ମାଲିକଙ୍କଠାରୁ ବିନା ସୁଧରେ ଆଦାୟ କରିପାରିବେ।
ଓଡ଼ିଶାରେ ଦେଶର ସମୁଦାୟ ଖଣିଜ ଉପତ୍ାଦନର ୫୦ ଭାଗରୁ ଊର୍ଦ୍ଧ୍ୱ ଥିଲାବେଳେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ କାର୍ୟ୍ୟକାରୀ ହେଲେ ଓଡ଼ିଶା ସରକାର ବକେୟା ଦେୟ ବାବଦରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପାଇବା ସଙ୍ଗେ ସଙ୍ଗେ ପ୍ରତିବର୍ଷ ଖଣିଜ ସେସ୍ରୁ ଅତିକମ୍ରେ ୫୦ ହଜାର କୋଟି ଟଙ୍କା ପାଇପାରିବେ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ କେନ୍ଦ୍ର ସରକାର ପୁନର୍ବିଚାର ସକାଶେ ଆବେଦନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟ ଯୋଗୁ ଓଡ଼ିଶା ସବୁଠାରୁ ଅଧିକ କ୍ଷତି ସହିବ। ଓଡ଼ିଶାରୁ ନିର୍ବାଚିତ ୨୦ ଜଣ ଭାଜପା ଏମ୍ପି ତୁରନ୍ତ ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରି କେନ୍ଦ୍ର ସୁପ୍ରିମକୋର୍ଟରେ ଦାଖଲ କରିଥିବା ରିଭ୍ୟୁ ପିଟିଶନକୁ ପ୍ରତ୍ୟାହାର କରନ୍ତୁ ଏବଂ ଓଡ଼ିଶାର ଦୀର୍ଘ ଦିନର ଦାବି ପୂରଣରେ ସହାୟକ ହୁଅନ୍ତୁ ବୋଲି ଦାସବର୍ମା କହିଛନ୍ତି।