ଅଶାନ୍ତ ଦକ୍ଷିଣ କୋରିଆ : ୬ ଘଣ୍ଟାରେ ହଟିଲା ଜରୁରୀକାଳୀନ ସ୍ଥିତି
ଜରୁରୀକାଳୀନ ମାର୍ଶଲ ଆଇନକୁ ନେଇ ଦକ୍ଷିଣ କୋରିଆ ଅଶାନ୍ତ। ପ୍ରବଳ ବିରୋଧ ଯୋଗୁଁ ଆଇନ ଲାଗୁ ହେବାର ୬ ଘଣ୍ଟା ମଧ୍ୟରେ ହେଲା ପ୍ରତ୍ୟାହାର। ପୁଲିସ ବଦଳରେ ଆର୍ମିକୁ ଦିଆଯାଇଥିଲା ସୁରକ୍ଷା ଭାର। ଗଣମାଧ୍ୟମ, ରାଲି, ରାଜନୈତିକ କାର୍ଯ୍ୟକ୍ରମ ଉପରେ ଜାରି ହୋଇଥିଲା କଟକଣା। ଗତକାଲି ରାତିରେ ଏଭଳି କଟକଣା ଜାରି କରାଯିବା ପରେ ରାଜରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ। ପ୍ରଦର୍ଶନକାରୀଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିଲା। ଏପରିକି ସଂସଦ ଭିତରକୁ ସାଂସଦଙ୍କ ଯିବା ଉପରେ ରୋକ ଲଗାଯାଇଥିଲା।
ସିଓଲରେ ସଂସଦ ବାହାରେ ବିରୋଧୀମାନେ ପ୍ରବଳ ବିରୋଧ କରିବା ପରେ ଭୋର ୪ଟାରେ ଆଇନକୁ ପ୍ରତ୍ୟାହାର କରଯାଇଛି। ସଂସଦ ଭିତରକୁ ଯିବା ପାଇଁ ଉଦ୍ୟମ ବେଳେ ବିରୋଧୀଙ୍କ ସହ ପୁଲିସର ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହାକୁ ନେଇ କେବଳ ସଂସଦ ନୁହେଁ, ବିଭିନ୍ନ ସ୍ଥାନରେ ବିରୋଧ ତେଜିଛି। ୧୯୮୦ ମସିହା ପରେ ଦକ୍ଷିଣ କୋରିଆରେ ମାର୍ଶଲ ଲ’ ଲାଗୁ ନେଇ ଘୋଷଣା କରାଯାଇଥିଲା। ଗତକାଲି ରାଜରାସ୍ତାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏବଂ ବିଭିନ୍ନ ସ୍ଥାନରେ ସେନା ମୁତୟନ ହୋଇଥିଲେ। ପୁଲିସ ଓ ବିକ୍ଷୋଭକାରୀଙ୍କ ସଂଘର୍ଷ ଯୋଗୁଁ ଅଣାୟତ୍ତ ସ୍ଥିତି ଦେଖିବାକୁ ମିଳିଥିଲା। କିଛି ଘଣ୍ଟା ପାଇଁ ସଂସଦର ସୁରକ୍ଷା ଦାୟିତ୍ବ ମଧ୍ୟ ସେନା ହାତକୁ ଯାଇଥିଲା। ସଂସଦ ଭବନ ଉପରେ ସେନାର ହେଲିକପ୍ଟର ମୁତୟନ କରାଯିବା ସହ ବିରୋଧୀ ସାଂସଦଙ୍କୁ ଉକ୍ତ ଅଞ୍ଚଳରୁ ବାହାର କରାଯାଇଥିଲା। ସାଂସଦଙ୍କ ଗିରଫଦାରୀ ନେଇ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ଏବଂ ବିଭିନ୍ନ ଅଂଚଳରେ ତୀବ୍ର ଉତ୍ତେଜନା ଲାଗି ରହିଥିଲା ପରେ ସଂସଦରେ ପ୍ରବଳ ଗଣ୍ଡଗୋଳ ଯୋଗୁଁ ରାଷ୍ଟ୍ରପତି ବାଧ୍ୟ ହୋଇ ମାର୍ଶଲ ଲକୁ ପ୍ରତ୍ୟାହାର କରିଥିଲେ ଫଳରେ ସୈନିକ ମାନେ ସଂସଦରୁ ବାହାରି ଆସିଥିଲେ।