ବର୍ଷକୁ ଥରେ ରତ୍ନସିଂହାସନ ଛୁଏଁ ମନ୍ଦାର ଫୁଲ
ଶ୍ରୀକ୍ଷେତ୍ରର କଳା,ସଂସ୍କୃତି ଓ ପରମ୍ପରା ଖୁବ ନିଆରା । ଶ୍ରୀକ୍ଷେତ୍ରରେ ରାବଣଙ୍କର ସ୍ଥାନ ସ୍ୱତନ୍ତ୍ର । ସାହିଯାତରେ ମୁଖ୍ୟ ଆକର୍ଷଣ ପାଲଟିଥାନ୍ତି ରାବଣ । ଏଠାରେ ସ୍ୱତନ୍ତ୍ର ରୀତିନୀତିରେ ରାବଣ ପୂଜା କରାଯାଏ । ରାମଲୀଳାରେ ସେତୁବନ୍ଧ ପ୍ରତିଷ୍ଠା ପାଇଁ ମହାଜ୍ଞାନୀ ବେଦଜ୍ଞ ରାବଣଙ୍କୁ ପ୍ରଭୁ ଶ୍ରୀରାମ ଅଗ୍ରାଧିକାର ଦେଇଥାନ୍ତି । ସେହିଭଳି ସାହିଯାତ ସମୟରେ ରାମଙ୍କ ସହ ଯୁଦ୍ଧରେ ଲଢ଼ିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ରାବଣଙ୍କୁ ଆଜ୍ଞାମାଳ ଦେଇଥାନ୍ତି । ଶ୍ରୀମନ୍ଦିର ଗର୍ଭଗୃହକୁ ମନ୍ଦାର ଫୁଲ ପ୍ରବେଶ ନିଷେଧ । କିନ୍ତୁ ରାବଣ ପାଇଁ ମହାପ୍ରଭୁ ନିୟମ କୋହଳ କରିଦିଅନ୍ତି । ରାବଣଙ୍କୁ ଆଜ୍ଞାମାଳ ପ୍ରଦାନ କରିବାକୁ ବର୍ଷକେ ଥରେ ମନ୍ଦାର ଫୁଲ ରତ୍ନସିଂହାସନ ସ୍ପର୍ଶ କରିଥାଏ । ସାହିଯାତର ରାବଣବଧ ନୀତି ଦିବସରେ ମନ୍ଦାର ଫୁଲ ଗର୍ଭଗୃହ ମଧ୍ୟରେ ପ୍ରବେଶ କରେ । ବର୍ଷବର୍ଷ ଧରି ଶ୍ରୀମନ୍ଦିରରେ ଏହି ପରମ୍ପରା ଚାଲିଆସୁଛି ।