ପୁରୀ ଶ୍ରୀମନ୍ଦିରକୁ ବିପଦ! କାନ୍ଥରେ ଧମକପୂର୍ଣ୍ଣ ବାର୍ତ୍ତା

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ସହ ପରିହାସ । ପରିକ୍ରମା ପ୍ରକଳ୍ପରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ। ଖୋଲାଖୋଲି ସୁରକ୍ଷା କର୍ମୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ଦୁବୃର୍ତ୍ତ। ମଦ ନିଶାରେ ହେଉ ଅବା ଜାଣତରେ ହେଉ ପୁରୀ ପୋଲିସକୁ ଦିଆଯାଇଛି ଚ୍ୟାଲେଞ୍ଜ । ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଡୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ ନମ୍ବର ମଧ୍ୟ ଦିଆଯାଇଛି। ଫୋନ କର, ନ କଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ମଧ୍ୟ ଲେଖାଯାଇଛି । ଦୁଇଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଛି । ତେବେ କିଏ ଓ କାହିଁକି କରିଛି ତାହା ଜଣାପଡିନି । ଏକାଧିକ ସ୍ଥାନରେ ସିସିଟିଭି ଲାଗିଛି । ସିକ୍ୟୁରିଟି ଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି । ହେଲେ ଆତଙ୍କବାଦୀଙ୍କ ନାଁ ନେଇ ଏପରି ଲେଖିଲା କିଏ? ତା’କୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ସେପଟେ ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ ସାଢେ ୨ଟାରୁ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜି ଭାଦ୍ରବ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀ ବିଗ୍ରହମାନଙ୍କର ଏହି ରାହୁ ରେଖା ଲାଗି ନୀତି କରାଯିବ ।