ଶ୍ରୀମନ୍ଦିରରେ ରାମଜନ୍ମ ନୀତି ସମ୍ପନ୍ନ

ଶ୍ରୀମନ୍ଦିରରେ ରାମଜନ୍ମ ନୀତି ସମ୍ପନ୍ନ


 ପୁରୀ: ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ରାମ ଜନ୍ମୋସôବ ନୀତି ପାରମ୍ପରିକ ବିଧିବିଧାନ ଅନୁଯାୟୀ ସଂପନ୍ନ ହୋଇଯାଇଛି । ତତ୍ସହିତ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ସାହିଯାତ । ଶ୍ରୀରାମ ଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ସଂପନ୍ନ ହେବ । ବିଭିନ୍ନ ସାହିରୁ ରାମାୟଣର ଚରିତ୍ରମାନ ବାହାରି ଶ୍ରୀମନ୍ଦିରରେ ବିଭିନ୍ନ ପ୍ରସ୍ତାବ କରିବେ । ବୁଧବାର ଦିନ ମଧ୍ୟାହ୍ନ ଧୂପ ଉଠିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଶ୍ରୀରାମ ଜନ୍ମ ବିଧି ଆରମ୍ଭ କରାଯାଇଥିଲା । ଶୁଦ୍ଧ ସୁଆର ଭଣ୍ଡାରଘର ନିକଟରେ ପୋଚ୍ଛା ମାରିବା ପରେ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ଡଳ ଅଙ୍କନ କରାଯାଇଥିଲା । ମଧ୍ୟାହ୍ନ ଧୂପ ଓ ଦକ୍ଷିଣଘର ଭୋଗ ଶେଷ ହେବା ପରେ ଦକ୍ଷିଣଘରୁ ମହାଜନ ସେବକମାନେ ଶ୍ରୀରାମଙ୍କ ବିଗ୍ରହଙ୍କୁ ରତ୍ନସିଂହାସନକୁ ବିଜେ କରାଇଥିଲେ । ମୁଦିରସ୍ତଙ୍କ ଦ୍ୱାରା ଧଣ୍ଡିପ୍ରସାଦ ଲାଗି କରାଯିବା ପରେ ଶ୍ରୀରାମଙ୍କୁ ଆଜ୍ଞାମାଳ ଦିଆଯାଇଥିଲା । ମହାଜନ ସେବକ ମୁରୁଜରେ କଟାଯାଇଥିବା ଜନ୍ମମଣ୍ଡଳ ଉପରେ ଶ୍ରୀରାମଙ୍କ ବିଗ୍ରହଙ୍କୁ ବିଜେ କରାଇଥିଲେ । ମହାଜନ ସେବକଙ୍କ ମଧ୍ୟରୁ ୨ଜଣ ଅବତୀର୍ଣ୍ଣ ହୋଇଥିଲେ ଦଶରଥ ଓ କୌଶଲ୍ୟା ଭୂମିକାରେ । ଖଣ୍ଡୁଆ ଘୋଡ଼ାଯାଇ ଶ୍ରୀରାମଙ୍କ ଜନ୍ମବିଧି ସଂପନ୍ନ ହୋଇଥିଲା । କର୍ପୁର ଆଳତି ଓ ବନ୍ଦାପନା ପରେ ଗଣ୍ଡୁସ ମଶଲା ଓ କ୍ଷୀର ମଣୋହି କରାଯାଇଥିଲା । ପୂଜାପଣ୍ଡା ଜନ୍ମବିଧି ସଂପନ୍ନ କରିବା ସହ ପଇତା ଲାଗି ଓ ଶୀତଳ ଭୋଗ ମଣୋହି କରାଇଥିଲେ । ଏହା ପରେ ଶ୍ରୀରାମଙ୍କ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ବିଜେ କରାଯାଇଥିଲା ।