ପୁରୀ ସମୁଦ୍ର ଭିତରକୁ ସ୍ପିଡ଼ ବୋଟ୍ ମନା : କାଉଣ୍ଟର ହଟାଇଲା ପ୍ରଶାସନ
ପୁରୀ: ପୁରୀ ବେଳାଭୂମିରେ ଏମ୍ଏସ୍ ସ୍କାଇ ଡ଼୍ରାଇଭ ଆଡ଼େଭେଞ୍ଚର ଏବଂ ୱାଟର ସ୍ପୋର୍ଟ୍ସର ବୋର୍ଡ଼ ମାରି କ୍ୟାବିନ ପକାଇବା ସହ ପର୍ଯ୍ୟଟକମାନଙ୍କୁ ବେଆଇନ ଭାବେ ସ୍ପିଡ଼ ବୋଟ୍ରେ ସମୁଦ୍ର ଭିତରକୁ ବୁଲାଇ ଆଣିବାକୁ ନେଉଥିବା କେତେକ ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ମଙ୍ଗଳବାର ଦିନ ଏହି କ୍ୟାବିନକୁ ବୁଲ୍ଡ଼ୋଜର ଲଗାଇ ପ୍ରଶାସନ ଭାଙ୍ଗି ଦେଇଛି । ଦୁଇଟି ଟିକେଟ କାଉଣ୍ଟରକୁ ମଧ୍ୟ ଉଚ୍ଛେଦ କରାଯାଇଛି । ସୂଚନାଯୋଗ୍ୟଯେ, ଗତକାଲି ଏହି ସ୍ପିଡ଼ ବୋଟ୍ରେ ପର୍ଯ୍ୟଟକମାନେ ଜଳକ୍ରୀଡ଼ା କରୁଥିବା ବେଳେ ଗଭୀର ସମୁଦ୍ରରେ ସ୍ପିଡ଼ ବୋଟ୍ଟି ଓଲଟି ପଡ଼ିଥିଲା । ଏଥିରେ ଭାରତ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ଓ ଭାଉଜ ସମୁଦ୍ରରେ ବୁଡ଼ିଯାଇଥିଲେ । ବେଳାଭୂମିରେ ଉପସ୍ଥିତ ଥିବା ଲାଇଫଗାର୍ଡ଼ମାନଙ୍କ ତତ୍କ୍ଷଣାତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୪ପର୍ଯ୍ୟଟକଙ୍କ ଜୀବନ ରକ୍ଷା ହୋଇପାରିଥିଲା । ଲାଇଟ୍ ହାଉସ୍ ନିକଟରେ ହୋଟେଲ ସୋନାଲ ବାଙ୍ଗଲା ସମ୍ମୁଖସ୍ଥ ସମୁଦ୍ରରେ ଏହି ଅଭାବନୀୟ ଘଟଣା ଘଟିଥିଲା । ସ୍ପିଡ଼ ବୋଟ୍ ବ୍ୟବସାୟ କରୁଥିବା ସଂସ୍ଥାର ଅନଭିଜ୍ଞ କର୍ମଚାରୀଙ୍କ ଯୋଗୁଁ ସ୍ପିଡ଼ ବୋଟ୍ଟି ଭାରସାମ୍ୟ ହରାଇ ଗଭୀର ସମୁଦ୍ରରେ ଓଲଟି ପଡ଼ିଥିଲା । ସମୁଦ୍ରରୁ ଉଦ୍ଧାର ହୋଇଥିବା ବଙ୍ଗୀୟ ଯାତ୍ରୀ ଅର୍ପିତା ଗାଙ୍ଗୁଲି କହିଥିଲେଯେ, ପୁରୀ ସମୁଦ୍ରରେ କରେଣ୍ଟ ଅଧିକ ଥିଲା । ତେଣୁ ଢେଉ ଅଧିକ ଉଚ୍ଚରେ କୂଳକୁ ଆସୁଥିଲା । ଅପରପକ୍ଷରେ ୧୦ ଜଣ ବସିବା ପାଇଁ ଉଦ୍ଦିଷ୍ଟ ସ୍ପିଡ଼ ବୋଟ୍ରେ ପଇସା ଲୋଭରେ ମାତ୍ର ୩ରୁ ୪ଜଣଙ୍କୁ ବସାଯାଇ ଭିତରକୁ ନିଆଯାଇଥିଲା । ଯାତ୍ରୀମାନେ ମନା କରୁଥିବାବେଳେ ସ୍ପିଡ଼ ବୋଟ୍ ଚଳାଉଥିବା ଡ଼୍ରାଇଭର କିଛି ହେବନାହିଁ ବୋଲି କହି ସେମାନଙ୍କୁ ଭିତରକୁ ନେଇଯାଇଥିଲା । ଫଳରେ ଢେଉମାଡ଼ରେ ବୋଟ୍ଟି ଓଲଟି ପଡ଼ିଥିଲା । ଲାଇଫଗାର୍ଡ଼ଙ୍କ ସହାୟତା ଯୋଗୁଁ ପର୍ଯ୍ୟଟକମାନେ ଉଦ୍ଧାର ହୋଇଥିଲେ । ତେଣୁ ଗୋଆ ଭଳି ପୁରୀରେ ଏଭଳି ବେନିୟମ କାର୍ଯ୍ୟକୁ ବନ୍ଦ କରାଯାଉ । ଆମେ କଲିକତା ଫେରିବା ପରେ ପୁରୀର ଏସ୍ପି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ପତ୍ର ଲେଖି ଅନୁରୋଧ କରିବୁ । ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶୟ ଦିଆନଯାଉ ବୋଲି ସେ କହିଥିଲେ ।