ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି : ଶ୍ରୀମନ୍ଦିର ପ୍ରଶାସନର ଅଜବ ନୀତି

ଶ୍ରୀମନ୍ଦିର ସୁରକ୍ଷାରେ ବାରମ୍ବାର ତ୍ରୁଟି ଦେଖାଯିବା ପରେ ବୁଦ୍ଧି ଦେଉଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ସପ୍ତାହକ ଭିତରେ ଶ୍ରୀମନ୍ଦିର ଭିତରରୁ ତିନି ତିନୋଟି ହିଡେନ୍ କ୍ୟାମେରା ଧରାପଡ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନର ଚେତା ପଶିଛି । ଘଟଣା ପରେ ଶ୍ରୀମନ୍ଦିର ଆଇନକୁ ଅଧିକ କଠୋର କରିବା ସହ ଆଇନରେ ସଂଶୋଧନ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ୪ଟି ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ସେହିପରି ମହାପ୍ରଭୁଙ୍କ ସଂସ୍କୃତି ଓ ଗରିମାକୁ କ୍ଷୁର୍ଣ୍ଣ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ ହୋଇଛି । ହେଲେ ପ୍ରଶ୍ନ ଉଠୁଛି ସବୁ ସରିଗଲା ପରେ ପ୍ରଶାସନର ବୁଦ୍ଧି ଉଦୟ ହେଉଛି କାହିଁକି ? ପୂର୍ବରୁ କାହିଁକି ନୁହେଁ ? ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟଣାକୁ ଯଦି ଦେଖିବା ତାହେଲେ… ଜାନୁଆରୀ ୫ ତାରିଖରେ ଶ୍ରୀମନ୍ଦିର ଚାରିପଟ ନିଷିଦ୍ଧାଞ୍ଚଳରେ ଉଡ଼ିଥିଲା ଡ୍ରୋନ୍ । ଜଣେ ୟୁଟ୍ୟୁବର ଏହି ଡ୍ରୋନ୍ ଉଡ଼ାଇଥିଲେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ଶ୍ରୀମନ୍ଦିର ପୁଲିସ ।
ଜୁନ୍ ପହିଲାରେ ମଧ୍ୟ ଏଭଳି କିଛି ଘଟଣା ଘଟିଥିଲା । ଜଣେ ଯୁବକ ଚାଲାକ କରି ଶ୍ରୀମନ୍ଦିର ଭିତର ଭିଡିଓ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ, ଯାହା କ୍ଷୀପ୍ର ବେଗରେ ଭାଇରାଲ ହୋଇଥିଲା । ପଶ୍ଚିମବଙ୍ଗ ନଦିଆର ଜଣେ ବ୍ୟକ୍ତି ଏପରି ଭିଡିଓ ପୋଷ୍ଟ କରି ବିବାଦକୁ ଆସିଥିଲେ । ରଥଯାତ୍ରା ପରେ ପରେ ନୀଳାଦ୍ରି ବିଜେ ସମୟରେ କିଛି ବ୍ୟକ୍ତି ଆନନ୍ଦବଜାର ପଟ ଏକ ଗଳି ଗେଟ୍ ପଟେ ଅଳିଆ ଗଦାରେ ଚଢ଼ି ଭିରତକୁ ପ୍ରବେଶ କରିଯାଇଥିଲେ । ହେଲେ କେହି କିଛି ଜାଣିପାରିଲେନି କିପରି ? ଜଣେ ମୋବାଇଲରେ ଏ ଦୃଶ୍ୟ କଏଦ ହୋଇଯାଇଥିବାବେଳେ ଏ ବିଷୟରେ ଜଣାପଡ଼ିଥିଲା । ଏହା ପରେ ବି ଚେତିନଥିଲା ଶ୍ରୀମନ୍ଦିର ପ୍ରଶାସନ ।
ଜୁଲାଇ ୨୯ ତାରିଖରେ ଜଣେ ଯୁବକ ହିଡେନ୍ କ୍ୟାମେରା ଥିବା ଚଷମା ପିନ୍ଧି ବଡ଼ ଦେଉଳ ଭିରତକୁ ପଶିଯାଇଥିଲେ । ଭିତରର ଭିଡିଓ ଉତ୍ତୋଳନ କରୁଥିଲେ । ଦୈବାତ୍ ଜଣାପଡ଼ିବାରୁ ତାଙ୍କୁ ଧରିଥିଲା ପୁଲିସ । ତା ପରଦିନ ବି ଏକା ଘଟଣା । ଗତ ୪ ତାରିଖରେ ପଶ୍ଚିମବଙ୍ଗର ପ୍ରୀତିଶ ପାଲ ନାମକ ଜଣେ ବ୍ୟକ୍ତି ଠିକ ସେହିଭଳି ହିଡେନ୍ କ୍ୟାମେରା ଥିବା ଚଷମା ପିନ୍ଧି ଶ୍ରୀମନ୍ଦିରକୁ ପଶିଯାଇଥିଲେ । ତାଙ୍କୁ ବି ପରେ ଧରାଯାଇଥିଲା । ହେଲେ ପ୍ରଶ୍ନ ଉଠୁଛି ପରେ କାହିଁକି? ଶ୍ରୀମନ୍ଦିରର ସୁରକ୍ଷା ସବୁଠାରୁ ବଡ଼ ପ୍ରସଙ୍ଗ , ସରକାରଙ୍କ ସର୍ବପ୍ରଥମ ଦାୟିତ୍ବ । ଏଠାରେ ଅଘଟଣ ଘଟିଗଲା ପରେ ଜାଣୁଛି ପୁଲିସ । କିନ୍ତୁ ମନ୍ଦିରକୁ ଏଭଳି ବ୍ୟକ୍ତି ଯିବା ପୂର୍ବରୁ ସେମାନଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ କାହିଁକି ? ଏହାବାଦ୍ ଯେଉଁ ବ୍ୟକ୍ତି ନିର୍ଦ୍ଦେଶକୁ ଅମାନ୍ୟ କରି ଡ୍ରୋନ ଉଡ଼ାଉଛନ୍ତି ବା ହିଡେନ୍ କ୍ୟାମରୋ ଦେଉଳ ଭିତରକୁ ନେବାର ଭୁଲ କରୁଛନ୍ତି ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉନାହିଁ କାହିଁକି? ଦଣ୍ଡ ବିଧାନରେ କୋହଳ ନୀତି ଯୋଗୁଁ ଆଜି ବାରମ୍ବାର ଅନୁଚିତ ଘଟଣା ଘଟୁଛି । ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି । କ’ଣ କରୁଛି ଶ୍ରୀମନ୍ଦିର ପ୍ରଶାସନ ? ଏସବୁ ଘଟଣାକୁ ହାଲକା ଭାବେ ନେଇ ନିଜର ଅପାରଗତା ପ୍ରମାଣିତ କରୁନାହାନ୍ତି କି ସରକାର , ଶ୍ରୀମନ୍ଦିର ପ୍ରଶାସନ ?