ସୁଭଦ୍ରାରେ ୧୫୭ ପୁରୁଷ କରିଛନ୍ତି ଆବେଦନ: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

ସୁଭଦ୍ରାରେ ୧୫୭ ପୁରୁଷ କରିଛନ୍ତି ଆବେଦନ: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର :  ସୁଭଦ୍ରା ଯୋଜନାରେ ପୁରୁଷମାନେ ଆବେଦନ କରିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ରାଜ୍ୟର ୧୫୭ ଜଣ ପୁରୁଷ ସୁଭଦ୍ରାରେ ଆବେଦନ କରିଛନ୍ତି। ତେବେ ଏହି ପୁରୁଷଙ୍କୁ ତାଲିକାରୁ କାଟି ଦିଆଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଆଧାନକାର୍ଡର ବ୍ୟାଙ୍କ ଲିଙ୍କ ଡାଟା ଆସିବା ପରେ ଏହା ଜଣାପଡ଼ିଥିଲା। ଭୁଲ୍‌ବଶତଃ ଆବେଦନ କରିଥିବାରୁ ସେମାନଙ୍କୁ ବାଦ୍‌ ଦିଆଯାଇଛି।

ରାଜ୍ୟ ବାହାରେ ଥିଲେ ବି ସୁଭଦ୍ରା ପାଇପାରିବେ। ମହିଳାମାନେ ତୁରନ୍ତ ଏଥିପାଇଁ ଆବେଦନ କରନ୍ତୁ। ନୂଆ ଆବେଦନ କରିବାକୁ ଚାହୁଁଥିବା ମହିଳାମାନେ ସୁଭଦ୍ରା ପୋର୍ଟାଲ, ସିଏସ୍‌ସି କେନ୍ଦ୍ରରେ ଏଥିପାଇଁ ଆବେଦନ କରିବେ। ମାତ୍ର ବା‌ୟୋମେଟ୍ରିକ୍ କିମ୍ବା ଏନ୍‌ପିସିଆଇ ଯାଞ୍ଚ ନିମନ୍ତେ ସେମାନଙ୍କୁ ଆସିବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଊଦ୍ଧର୍‌ବ ମହିଳାଙ୍କୁ ମିଳିବ ଟଙ୍କା। ଚଳିତ ମାସ ଶେଷ ସପ୍ତାହରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦିଆଯିବ। ଯୋଜନାରୁ ବାହାରି ଯାଇଥିବା ବା ଅପ୍‌ଟ ଆଉଟ୍‌ ହୋଇଥିବା ଅଧିକାଂଶ ମହିଳାଙ୍କ ମଧ୍ୟରୁ ଅନେକ ଅପ୍‌ଟ ଇନ୍‌ କରିସାରିଲେଣି।  ମାତ୍ର ବିଡ଼ମ୍ବନାର ବିଷୟ ଯେ, ଏବେ ମଧ୍ୟ ୨ ଲକ୍ଷରୁ ଅଧିକ ମହିଳା ନିଜର E-KYC ଅପଡେଟ୍‌ କରିନାହାନ୍ତି। ଅଜାଣତରେ ଅପ୍ଟ ଆଉଟ ହୋଇଥିବା ୩୧ ହଜାର ମହିଳାଙ୍କ ମଧ୍ୟରୁ ୧୭ ହଜାର ଅପ୍ଟ ଇନ କରିଛନ୍ତି। ତେଣୁ ସରକାର ମାସ ଶେଷ ଆଡ଼କୁ ୪ର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ପ୍ରସ୍ତୁତ ହେଉଥିବାରୁ ଯଥାଶୀଘ୍ର KYC ଅପଡେଟ୍‌ କରିବାକୁ ଉପମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ଅପିଲ କରିଛନ୍ତି। ଏଥିରୁ କୌଣସି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିବ ନାହିଁ। ଶେଷ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।