ଯୁଦ୍ଧ ହେଲେ ଲାଭ ନା କ୍ଷତି ?

ସାରା ଦେଶର ରାଜନୀତି ଏବେ ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣାର ଚାରିପାଖେ ବୁଲୁଛି । ସବୁ ରାଜନୀତିକ ଦଳ ଏବେ ଦେଶ ପାଇଁ ଏକାଠି ହୋଇଛନ୍ତି । ଏଭଳି ସମୟରେ ଯୁଦ୍ଧକୁ ନେଇ ଆଶା ଆଶଙ୍କା ପ୍ରକାଶ ପାଇଛି । ନୂଆଦିଲ୍ଲୀରେ ବସୁଛି ଘନଘନ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ତିନି ସେନାର ମୁଖ୍ୟ, ସୁରକ୍ଷା ପରାମର୍ଶଦାତାମାନେ ବାରବାର ବୈଠକ କରୁଛନ୍ତି । ସେପଟେ ପାକିସ୍ତାନ ଏଲଓସି ନିକଟରେ ଅସ୍ତ୍ରବିରତି ଉଲ୍ଳଂଘନ କରୁଥିବାରୁ ଭାରତ ବି କଡ଼ା ଜବାବ ଦେଉଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ବି ପ୍ରକାଶ ପାଉଛି । ଯେକୌଣସି ମୁହୂର୍ତ୍ତରେ ପାକିସ୍ତାନ ଉପରେ ଆକ୍ରମଣ ବି ହୋଇପାରେ । ସୋସିଆଲ ମିଡ଼ିଆରେ ଅନେକ ଯୁଦ୍ଧ ହେଉ ବୋଲି ମତ ଦେଉଛନ୍ତି । ତେବେ ଯୁଦ୍ଧ ହେଲେ ଲାଭ ନା କ୍ଷତି ତାହାକୁ ନେଇ ଏବେ ବୁଦ୍ଧିଜୀବୀମାନେ ଆକଳନ ଆରମ୍ଭ କରିଦେଇଛନ୍ତି ।
ସମ୍ପ୍ରତି ଯୁଦ୍ଧ ହେଲେ ଉଭୟ ଦେଶ ବହୁ କ୍ଷତିଗ୍ରସ୍ତ ହେବେ । ବିଶେଷକରି ପାକିସ୍ତାନ ତୁଳନାରେ ଭାରତ ବେଶୀ କ୍ଷତିଗ୍ରସ୍ତ ହେବବୋଲି ଆକଳନ କରାଯାଉଛି । ସମ୍ପ୍ରତି ପାକର ଅର୍ଥନୀତି ଭୁଷୁଡ଼ିଯାଉଛି । ଲୋକମାନେ ଦି ଓଳି ଦି ମୁଠା ଖାଇବାକୁ ବି ପାଉନାହାନ୍ତି । ସେପଟେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ପାଲଟିଛି । ଆଉ ଦୁଇ ବର୍ଷ ପରେ ଭାରତ ବିଶ୍ୱର ତୃତୀୟ ମହାଶକ୍ତି ହେବ । କିନ୍ତୁ ଯୁଦ୍ଧ ହେଲେ ଭାରତର ଅର୍ଥନୀତି ଉପରେ ନକରାତ୍ମକ ପ୍ରଭାବ ପଡ଼ିବ । ଏମିତିବି ଗତେ ବର୍ଷ ଧରି ସେୟାର ମାର୍କେଟ୍ ତଳକୁ ତଳକୁ ଖସିବାରେ ଲାଗିଛି । ନିବେଶକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ହରାଇ ସାରିଛନ୍ତି । ଯୁଦ୍ଧର ଆଶଙ୍କା ବା ଯୁଦ୍ଧ ସ୍ଥିତି ଏହି ସ୍ଥିତିକୁ ଆହୁରି ବିଗାଡ଼ି ଦେବ । ବିକଶିତ ଭାରତର ଅର୍ଥନୀତି, ସାମାଜିକ ସ୍ଥିତି ମଧ୍ୟ ବିଗିଡ଼ିଯିବ । ସେହିପରି ଏହି ମଉକାରେ ଭାରତକୁ ପଛକୁ ଟାଣିବା ପାଇଁ ଚାଇନା ମଧ୍ୟ ପାକିସ୍ତାନକୁ ସହଯୋଗ କରିପାରେ । ଆମେରିକା ଭଳି ଯୁଦ୍ଧଖୋର ରାଷ୍ଟ୍ର ବି ଏହାର ଫାଇଦା ନେବାର ସମ୍ଭାବନା ରହିଛି । ସାଉଦି ଆରବ ଭଳି ଦେଶମାନେ ଏଭଳି ସ୍ଥିତି ନଉପୁଜୁ ବୋଲି ଚାହୁଁଛନ୍ତି । ଉଭୟ ଦେଶ ଶାନ୍ତି ବଜାୟ ରଖନ୍ତୁ ବୋଲି ଆହ୍ୱାନ ଦେଇଛି । ତେବେ ମୋଦି ସରକାର ଦେଖିଚାହିଁ ସଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେବୋଲି ଆଶା କରାଯାଉଛି । ପିଓକେରେ ପୁଣି ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଆତଙ୍କୀକୁ ଭାରତ ନିପାତ କରିବ ବୋଲି କୁହାଯାଉଛି ।