ସୂର୍ଯ୍ୟସମ ଜୀବନ ଗତି

ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଆମର ଜୀବନର ଗତିକୁ କାହିଁକି ସୂର୍ଯ୍ୟସମ ସମତୁଲ କରି ରଖିବାକୁ ହେବ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପ୍ରକୃତିର ଅନେକ ଉପାଦାନ ଠାରୁ ଆମକୁ ଅନେକ କିଛି, ଅନେକ କଥା ଶିଖିବାର ଅଛି । ସୂର୍ଯ୍ୟ, ଚନ୍ଦ୍ର, ଆକାଶ, ଜଳ, ପବନ, ସମୁଦ୍ର, ନଦୀ, ଜଙ୍ଗଲ, ପଶୁପକ୍ଷୀ ଆଦି ସମସ୍ତେ ଆମକୁ କିଛି ନା କିଛି ଶିକ୍ଷା ଦିଅନ୍ତିି । ସଂସାରର ସକଳ ସୃଷ୍ଟି-ସେ ନିର୍ଜୀବ ହେଉ ଅଥବା ସଜୀବ, ପ୍ରତ୍ୟକ୍ଷରେ କିମ୍ବା ପରୋକ୍ଷରେ ଆମକୁ ଦିଅନ୍ତି କିଛି ନା କିଛି ଶିକ୍ଷା । କ୍ଷୁଦ୍ରାତିକ୍ଷୁଦ୍ର ପିମ୍ପୁଡ଼ିଟିଏ ଠାରୁ ମଧ୍ୟ ଧାଡ଼ି ବାନ୍ଧି ଶୃଙ୍ଖଳିତ ଜୀବନଯାପନ କରିବା ଲାଗି ଆମକୁ ଶିକ୍ଷା ଦିଏ । ମହୁମାଛି ସଞ୍ଚୟର ସାର ଓ ଆବଶ୍ୟକତା ଆମକୁ ଶିଖାଏ । 
ଠିକ୍ ସେହିପରି ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, ଆକାଶର ତାରକା ଏସବୁ ଆମ ନିୟନ୍ତ୍ରଣ ଭିତରେ ନଥାନ୍ତି । ହେଲେ ପ୍ରକୃତିର ଏହି ଜଡ଼ ପଦାର୍ଥ ଗୁଡ଼ିକ ମଧ୍ୟରୁ ଆମେ ଅନେକ କିଛି ଶିଖୁ । ସୂର୍ଯ୍ୟ ଏଭଳି ଏକ ପ୍ରକୃତିର ଉପାଦାନ ଯାହାର ସକାଳ ଠାରୁ ସଂଧ୍ୟା ପର୍ଯ୍ୟନ୍ତ ତିନିଟି ଅବସ୍ଥାକୁ ଆମେ ଅଧିକ ଭାବରେ ଅନୁଭବ କରୁ । ସୂର୍ଯ୍ୟ ଉଦୟ ସମୟରେ ତାମ୍ର ବର୍ଣ୍ଣ, ମଧ୍ୟାହ୍ନରେ ଅତ୍ୟନ୍ତ ତେଜୋମୟ ଶୁଭ୍ର ଏବଂ ଅସ୍ତ ସମୟରେ ପୁଣି ସେହି ତାମ୍ର ବର୍ଣ୍ଣ ଧାରଣ କରନ୍ତି । ଉଦୟ ଏବଂ ଅସ୍ତକାଳରେ ସମାନ ଅବସ୍ଥାରେ ସୂର୍ଯ୍ୟ ରହନ୍ତି । ଏ ଦୁଇ ଅବସ୍ଥାର ମଧ୍ୟବର୍ତ୍ତୀ ସମୟରେ ପ୍ରଚଣ୍ଡ ତେଜ ପ୍ରକାଶ କରେ । 
ସୂର୍ଯ୍ୟ ଉଦୟ କାଳରେ ଏକ ନୂତନ ଆଶା ନେଇ ପୂର୍ବାକାଶରେ ଉପରକୁ ଉପରକୁ ଉଠେ । ପ୍ରଚଣ୍ଡ ଉତ୍ତାପ ଏଭଂ କିରଣରେ ଦୁଇ ପ୍ରହର ରହେ । ସକାଳର ଉଦୟ ସମୟରେ ସୂର୍ଯ୍ୟ ପ୍ରଚଣ୍ଡ ତେଜ ଓ କିରଣ ପ୍ରକାଶ କରିବାର ସୂଚନା ମଧ୍ୟ ଦେଇଥାଏ । ଆଉ ଅସ୍ତ ଗଲା ବେଳେ ଧୀରେ ଧୀରେ ଫୁଲ ମଉଳିଲା ଭଳି ଉଦୟକାଳୀନ ଅବସ୍ଥାରେ ଯେପରି ଥିଲା ଠିକ୍ ସେହିପରି ଆଖି ଆଗରୁ ଲୁଚିଯାଏ । 
ଜୀବନ ସୂର୍ଯ୍ୟସମ ହେଉ, ନା ଉଦୟର ଅହଙ୍କାର ନା ଅସ୍ତ ହେବାର ଅଭିମାନ । ଆମ ଜୀବନ ସୂର୍ଯ୍ୟଙ୍କ ଭଳି ହୋଇଉଠୁ । ଆମ ଜୀବନ ଠିକ୍ ସୂର୍ଯ୍ୟଙ୍କ ଭଳି ହେଉ । ଉଦୟକାଳୀନ ସୂର୍ଯ୍ୟ ଭଳି ଏକ ଉତ୍ସାହ ଆମ ଭିତରେ ରହୁ । ଦ୍ୱିପ୍ରହରର ତେଜରେ ଆତ୍ମବଡ଼ିମା ନରହୁ । ପ୍ରଚଣ୍ଡ ପ୍ରବାହ ବେଳେ ବା ଯୌବନଦୀପ୍ତ ସମୟରେ ସୂର୍ଯ୍ୟ ମଧ୍ୟ ଶାନ୍ତ ରହିଥାଆନ୍ତି । ଠିକ୍ ସେହିପରି ଅସ୍ତଗାମୀ ସୂର୍ଯ୍ୟ ଭଳି ଦିନେ ଆମେ ତେଜହୀନ ହୋଇଯିବା ଭାବି ଦୁଃଖରେ ମିୟମ୍ରାଣ ହେବା ଅନୁଚିତ୍ । ଯେତେବେଳେ ଯେଉଁ ପରିସ୍ଥିତି ଆସିବ ତାକୁ ସମ୍ମୁଖୀନ କରିବାକୁ ଧୈର୍ଯ୍ୟ ଧରିବା ଉଚିତ୍ । ମନୁଷ୍ୟ ସମୟ ଓ ପରିସ୍ଥିତିର ଦାସ । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।