ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରବାହ ଜାରି, ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରବାହ ଜାରି, ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି।

ଅଂଶୁଘାତରେ ଢେଙ୍କାନାଳ ଓ ବାଲେଶ୍ୱରରୁ ଜଣେ ଲେଖାଏଁ ଏବଂ ମୟୂରଭଞ୍ଜରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେହିପରି ଆଉ ୧୪ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

ତାଙ୍କ ସୂଚନା ଅନୁଯାୟୀ, ଗତକାଲି ସୁଦ୍ଧା ରାଜ୍ୟରେ ୧,୨୧୯ ଜଣ ଅଂଶୁଘାତ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଢେଙ୍କାନାଳରେ ସର୍ବାଧିକ ୧୯୮ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ମୟୂରଭଞ୍ଜରେ ୧୪୬, ସୁନ୍ଦରଗଡ଼ରେ ୧୩୧ ଓ ସମ୍ବଲପୁରରେ ୧୨୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଆଗକୁ ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରବାହ ଜାରି ରହିବାକୁ ଥିବାରୁ ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରଖାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିବା ସହ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।