ଦୁର୍ଗାପୂଜା ପୂର୍ବରୁ ବୁଡ଼ିଲା କୋଲକାତା: ୧୦ ମୃତ, ୩୦ ବିମାନ ବାତିଲ

 କୋଲକାତା  : ଦୁର୍ଗା ପୂଜା ପୂର୍ବରୁ ଜଳରେ ବୁଡିଛି କୋଲକାତା । ମଙ୍ଗଳବାର ରାତିରେ ବର୍ଷା ୩୯ ବର୍ଷର ରେକର୍ଡ ଭାଙ୍ଗିଛି । ପ୍ରବଳ ବର୍ଷା ଯୋଗୁଁ କୋଲକାତାରେ ପାଣି ଜମି ରହିବା ସହିତ ସହରର ବିସ୍ତୃତ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଫଳରେ  ଯାତାୟାତ ଠପ୍ ହୋଇଯାଇଛି । ଦୁର୍ଗା ପୂଜା ଉସôବ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ବର୍ଷାର ତାଣ୍ଡବ ସମସ୍ତଙ୍କ ମନରେ ନିରାଶା ଭରି ଦେଇଛି । ପୂଜା ମାହୋଲ ଫିକା ପଡିଯାଇଛି । ବର୍ଷା ଯୋଗୁଁ ପୃଥକ ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତୁ୍ୟ ହୋଇଛି । କୋଲକାତା ବିମାନବନ୍ଦର ରନୱେ ଜଳବନ୍ଦୀ ଥିବାରୁ ପ୍ରାୟ ୩୦ ଟି ବିମାନର ଉଡ଼ାଣ ବାତିଲ କରାଯାଇଛି ।  ୫୦ ରୁ ଅଧିକ ବିମାନ ପ୍ରଭାବିତ ହୋଇଛନ୍ତି ।
ପାଣିପାଗ ବିଭାଗ ଅନୁଯାୟୀ ସହରରେ ମାତ୍ର ତିନି ଘଣ୍ଟା ମଧ୍ୟରେ ୧୮୫ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ବର୍ଷ ମଧ୍ୟରେ ସବୁଠାରୁ ଅଧିକ । ଏହି ସମୟରେ ଆଲିପୁରରେ ୨୪ ଘଣ୍ଟା ମଧ୍ୟରେ ୨୪୭.୫ ମିମି ବର୍ଷା ହୋଇଥିଲା ଓ ଅନେକ ପଡୋଶୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଯାହାଫଳରେ ରାସ୍ତା, ଘର ଓ ବଜାରକୁ ବୁଡ଼ାଇ ଦେଇଥିଲା । ଏହି ବର୍ଷା ରେଳ ଓ ମେଟ୍ରୋ ସେବାକୁ ବାଧାପ୍ରାପ୍ତ କରିଥିଲା । ଅନେକ ଦୂରଗାମୀ ଟ୍ରେନକୁ ପୁନଃନିର୍ଦ୍ଧାରିତ କରିବାକୁ ବାଧ୍ୟ କରିଥିଲା । ଅନେକ ଘରର ତଳ ମହଲା ବୁଡି ଯାଇଥିବା ବେଳେ ଘର ଭିତରକୁ ବର୍ଷା ଜଳ ପଶି ବୁଡାଇଦେଇଛି । ଫଳରେ ସ୍କୁଲକଲେଜ ବନ୍ଦ କରିଦିଆଯାଇଛି । ପାର୍କ ସର୍କସ, ଗରିଆହାଟ, ବେହେଲା ଓ କଲେଜ ଷ୍ଟ୍ରୀଟ ଆଦି ଅଞ୍ଚଳ ବେଶୀ ପ୍ରଭାବିତ ହୋଇଛି । କୋଲକାତା ମେୟର ଓ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଫିରହାଦ ହାକିମ କହିଛନ୍ତି ଯେ ସହରର ଅଧିକାଂଶ ଅଂଶ ଜଳବନ୍ଦୀ ରହିଛି ଓ କୋଲକାତା ମୁ୍ୟନିସିପାଲ କର୍ପୋରେସନ (କେଏମସି)ର ଟିମ ପାଣି ନିଷ୍କାସନ ପାଇଁ ଦିନରାତି କାମ କରୁଛନ୍ତି । କୋଲକାତାର ବିଭିନ୍ନ ମଣ୍ଡପରେ ପାଣି ଜମି ରହିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ତାଙ୍କର ନିର୍ଦ୍ଧାରିତ ଦୁର୍ଗା ପୂଜା ଉଦଘାଟନୀ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । ସେ କହିଛନ୍ତି ଯେ ହଠାତ୍ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଆହୁରି ଖରାପ ହେବା ପରେ କର୍ତ୍ତୃପକ୍ଷ କୋଲକାତା ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ କାମ କରୁଛନ୍ତି । ହେଲପ ଲାଇନ ନମ୍ବର ଜାରି କରାଯାଇଛି । କୋଲକାତା ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ଆସନ୍ତା ଦୁଇଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଯାଇଛି । ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ଅନୁରୋଧ କରାଯାଇଛି ।