ସହରରେ ମାଳ ମାଳ ବୁଲାଗୋରୁ : ଟ୍ରାଫିକ ସମସ୍ୟା ସହ ବଢୁଛି ଦୁର୍ଘଟଣା
ବରଗଡ: ପୌର ପ୍ରଶାସନର ନିଦେ୍ର୍ଦଶକୁ କାହାରିର ଖାତିର ନାହିଁ । ରାସ୍ତା ଉପରକୁ ଛାଡି ଦେଉଛନ୍ତି ଗୋରୁ ଗାଈ । ଯୋଉ ଆଡେ ଦେଖିବ ମାଳମାଳ ବୁଲା ଗୋରୁ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ସହରର ବିଭିନ୍ନ ରାସ୍ତା ତଥା ଛକମାନଙ୍କରେ । ମାଳମାଳ ବୁଲା ଗୋରୁଗାଈଙ୍କ ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ଦ୍ୱିଗୁଣିତ ହେବା ସହ ନିତିଦିନ ଛୋଟବଡ ଦୁର୍ଘଟଣା ଘଟିଚାଲିଛି । ପଶ୍ଚିମଓଡିଶାର ବ୍ୟବସାୟିକ ସହର ବରଗଡ । ୧୯ ଟି ୱାର୍ଡକୁ ନେଇ ଗଠିତ ବରଗଡ ପୌରାଞ୍ଚଳରେ ଏବେ ବୁଲା ଗାଇଗୋରୁଙ୍କ ପାଇଁ ଲୋକେ ଅତିଷ୍ଠ ହୋଇ ପଡିଲେଣି । ସହରର ରାଜୀବ ଗାନ୍ଧୀ ଛକ, ମହାତ୍ମା ଗାନ୍ଧୀ ଛକ ହେଉ ଅବା ଏସ୍ପି ଅଫିସ ଛକ ଯେଉଁଠାରେ ଦେଖିବ ରାସ୍ତା ଉପରେ ମାଳ ମାଳ ଗୋରୁ ଗାଈ । ରାସ୍ତା ଉପରେ ଶୋଇ ରହି ରାସ୍ତାକୁ ଏକ ପ୍ରକାର ଅବରୋଧ କରି ରହୁଛନ୍ତି । ବହୁ ସମୟରେ ଷଣ୍ଡ ଲଢେଇ ଏକ ନିତିଦିନିଆ ଘଟଣାରେ ପରିଣତ ହେଉଛି । ଫଳରେ ଜନସାଧାରଣଙ୍କ ଯାତାୟତରେ ନାହିଁ ନ ଥିବା ଅସୁବିଧା ହେଉଛି । ବିଭିନ୍ନ ସମୟରେ ପୌର ପ୍ରଶାସନ ରାସ୍ତାରେ ଗୋରୁଗାଈ ନ ଛାଡିବାକୁ ମାଇକ ଯୋଗେ ପ୍ରଚାର କରୁଛନ୍ତି । ଯାହାକୁ କି ଗାଈ ମାଲିକଙ୍କ ଖାତିର ନ ଥିବା ପରିଲକ୍ଷିତ ହେଉଛି । ବିଗତ ଦିନରେ ବରଗଡ ପୌର ପରିଷଦ ତରଫରୁ ଏକ କାଂଜି ହାଉସ ମଧ୍ୟ ନିର୍ମାଣ କରାଯାଇଥିବା ବେଳେ, ସେଠାରେ ମଧ୍ୟ କାଁ ଭାଁ ବୁଲା ଗାଇଗୋରୁକୁ ରଖାଯାଇଛି । ସହରରେ ଯେଉଁ ତୁଳନାରେ ବୁଲା ଗୋରୁଗାଈ ତଥା ଷଣ୍ଡ ରହିଛନ୍ତି ସେଠାରେ ସେମାନଙ୍କୁ ରଖିବା ଅସମ୍ଭବ । ଏପରିକି ବୁଲା ଷଣ୍ଡଙ୍କ ଦୌରାତ୍ମ୍ୟ ଯୋଗୁଁ ବିଭିନ୍ନ ସମୟରେ ପଥଚାରୀମାନେ ଆହତ ହେଉଥିବା ବେଳେ ଦୀର୍ଘ ସମୟ ଧରି ରାସ୍ତାରେ ଯାତାୟତ ଠପ୍ ହୋଇପଡୁଛି । ବରଗଡ ସହରର ହାଟପଦା ଠାରୁ ଆରମ୍ଭ କରି ଜେଲ୍ ରୋଡ, ଧର୍ମଶାଳା ଛକ, ଉମାଟକିଜ ରାସ୍ତା, ଥାନା ଛକ, ଶକ୍ତିନଗର ଛକ, ଗାନ୍ଧୀ ଛକ , ଏସପି ଅଫିସ ଛକ ପରି ସହରର ଯେଉଁ ରାସ୍ତାରେ ଦେଖି ବୁଲା ଗୋରୁ ଗାଈ ରାସ୍ତା ଅବରୋଧ କରି ରହୁଛନ୍ତି । ଯଦ୍ୱାରା ଜନସାଧାରଣ ରାତ୍ରି ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବେଳେ, ବିଭିନ୍ନ ସମୟରେ ବୁଲା ଗୋରୁ ଗାଈ ମଧ୍ୟ ଦୁର୍ଘଟଣାର ଶୀକାର ହେଉଥିବା ମଧ୍ୟ ନଜିର ରହିଛି । ପୌର ପ୍ରଶାସନ ଏ ଦିଗରେ ତୁରନ୍ତ ବ୍ୟବସ୍ଥା କରି ବରଗଡ ସହରକୁ ବୁଲା ଗାଈଗୋରୁ ମୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି ।