ଘଣ୍ଟାଏ ଅଟକିଲା ଇଣ୍ଟରସିଟି ଏକ୍ସପ୍ରେସ: ସମ୍ବଲପୁରରେ ଭାରତ ବନ୍ଦର ପ୍ରଭାବ
ସମ୍ବଲପୁର : ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଅଖିଳ ଭାରତୀୟ ଏସସି-ଏସଟି ମିଳିତ ସମନ୍ବୟ ସମିତି ଆହ୍ବାନରେ ସଂରକ୍ଷଣ ବଚାଓ ସଂଘର୍ଷ କମିଟି, ଭୀମ ଆର୍ମି ସମେତ ବିଭିନ୍ନ ଦଳିତ ସଂଗଠନ ବୁଧବାର ୧୨ ଘଣ୍ଟା ଭାରତ ବନ୍ଦ ପାଳନ କରୁଛନ୍ତି। ସମ୍ବଲପୁରରେ ମାତ୍ରାଧିକ ଭାବେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।
ପ୍ରବଳ ବର୍ଷା ସତ୍ତ୍ବେ ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ରାସ୍ତାକୁ ଓହ୍ଲାଇ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି। ଫଳରେ ଜନସାଧାରଣ ପରିବହନ, ସ୍କୁଲ, କଲେଜ ସହିତ ସହରରେ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, ଦୋକାନ, ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି।
ଭୀମ ଆର୍ମି ଓ ଅନ୍ୟାନ୍ୟ ସଂଗଠନର ଆନ୍ଦୋଳନକାରୀମାନେ ରେଳରୋକ ଆନ୍ଦୋଳନ କରି ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ସମ୍ବଲପୁର କ୍ଷେତରାଜପୁର ଷ୍ଟେସନରେ ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନକୁ ଦୀର୍ଘ ୧ ଘଣ୍ଟା ଧରି ଅଟକାଇଥିଲେ। ରେଳଲାଇନରୁ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା।
ସେହିପରି ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକୁ ବନ୍ଦ ଡାକରା ଦେଇଛନ୍ତି ଆନ୍ଦୋଳନକାରୀ। ତଫସିଲଭୁକ୍ତ ଜାତି(ଏସ୍ସି) ଓ ଜନଜାତି(ଏସ୍ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣ ନେଇ ଅଗଷ୍ଟ ୧ରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଭାରତ ବନ୍ଦ ଡାକରା ଦିଆଯାଇଛି।
ଓଡ଼ିଶାରେ ମିଳିତ ସମନ୍ବୟ ସମିତି ସହ ବିଭିନ୍ନ ରାଜନୈତିକ ଦଳ ଭାରତ ବନ୍ଦକୁ ସମର୍ଥନ ଜଣାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସୂଚିତ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିଦେବାକୁ ଏକଷଡଯନ୍ତ୍ର। ସୁପ୍ରିମକୋର୍ଟ ଏସ୍ସିି, ଏସ୍ଟିଙ୍କ ସ୍ଥିତିର ଠିକ ଆକଳନ ନ କରି ଏହି ବର୍ଗର ସୁରକ୍ଷା ନିମନ୍ତେ ରହିଥିବା ସାମ୍ବିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ପରାମର୍ଶ ନ କରି ଦେଇଥିବା ରାୟର ପୁନର୍ବିଚାର ପାଇଁ କମିଟି ପକ୍ଷରୁ ଦାବି କରାଯାଇଛି।