ବଢୁଛି ମୋବାଇଲ ଚୋରି 

କେନ୍ଦୁଝର: କେନ୍ଦୁଝର ସହର ଏବଂ ଆଖପାଖ ଅଞ୍ଚଳରେ ମୋବାଇଲ ଚୋରି ବଢୁଛି । ଟାଉନ ଥାନା ଅଞ୍ଚଳର କେନ୍ଦୁଝର ସହର ଏବଂ ଆଖପାଖ ଅଞ୍ଚଳରେ ଦୈନିକ ୩ ରୁ ୪ ଟି ମୋବାଇଲ ଫୋନ ଚୋରି ହେଉଛି । ଭିଡ ଅଞ୍ଚଳ, ବଜାର ଏବଂ ପନପରିବା ବିକ୍ରୀ ସ୍ଥାନରେ ଅଧିକ ଚୋରି ହେଉଛି । ଦୋକାନ ବଜାରରୁ ସଉଦା ଏବଂ ପନିପରିବା କିଣିବା ସମୟରେ ଲୋକଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ପକେଟରୁ ମୋବାଇଲ ଫୋନ ଚୋରି କରି ଚୋରମାନେ ଚମ୍ପଟ ମାରୁଛନ୍ତି । ସକାଳ ସମୟରେ ଅଧିକ ଚୋରି ହେଉଛି । ଡେଲି ମାର୍କେଟ, କୃଷକ ବଜାର, କାଳିପଡିଆ, ଜେଲ ଛକ ଏବଂ ନରଣପୁର ଆଦି ଅଞ୍ଚଳକୁ ଏହି ଚୋର ଦଳ ଟାର୍ଗେଟ କରୁଛନ୍ତି । ଚୋର ଗ୍ୟାଙ୍ଗର ସଦସ୍ୟମାନେ ପରିବା ବଜାରରେ ଭିଡ କରି ଲୋକଙ୍କ ମୋବାଇଲ ଫୋନ ଲୁଟି ଥାନ୍ତି । ନରଣପୁରରେ ପନପରିବା କିଣିବା ସମୟରେ ରାଜେଶ ଚନ୍ଦ୍ର ମହାନ୍ତ, କିଶୋର ଚନ୍ଦ୍ର ରାଉତ ଏବଂ କାଳିପଡିଆରେ ଏମଡି ରସିଦ ଅନୱାରଙ୍କ ମୋବାଇଲ ଚୋରି ହୋଇଥିବା ନେଇ ଟାଉନ ପୋଲିସ ନିକଟରେ ଅଭିଯୋଗ ହୋଇଛି । ଗତକାଲି ମଧ୍ୟ ଏହି ଭଳି ୨ ଜଣଙ୍କ ଠାରୁ ମୋବାଇଲ ଫୋନ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ମୁଣ୍ଡମାଳ ଅଂଚଳର ଚୋରମାନେ ମୋବାଇଲ ଫୋନ ଚୋରି କରି କିଛି ମାସ ପରେ ବିକ୍ରି କରୁଛନ୍ତି । ଆଗକୁ ରଥଯାତ୍ରା ଥିବାବେଳେ, ପୋଲିସ ଏହି ର୍ୟାକେଟକୁ ନ ଧରିଲେ ମୋବାଇଲ ଫୋନ ଚୋରି ବଢିବ । ଗତ ବର୍ଷ ରଥ ଯାତ୍ରା ସମୟରେ ବହୁ ମୋବାଇଲ ଫୋନ ଚୋରି ହୋଇଥିଲା । ଟାଉନ ପୋଲିସ ଏହି ର୍ୟାକେଟକୁ ଠାବ କରି ଚୋରକୁ ଧରିବାକୁ ଦାବି ହୋଇଛି । ଚୋରି ହେଉଥିବା ସ୍ଥାନରେ ଲାଗିଥିବା ସିସିଟିଭ ଗୁଡିକୁ ଯାଂଚ କରି ଚୋରଙ୍କ ଗତିବିଧିକୁ ଠାବ କରାଯାଇପାରନ୍ତା । ଏ ନେଇ ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁଙ୍କୁ ପଚାରିବାରୁ ମୋବାଇଲ ଫୋନ ଚୋରଙ୍କୁ ଶୀଘ୍ର ଧରାଯିବ ବୋଲି କହିଛନ୍ତି ।