ଟ୍ରମ୍ପ୍ଙ୍କ ସହ ଆଲୋଚନା ପାଇଁ ପୁଟିନ୍ ପ୍ରସ୍ତୁତ
ମସ୍କୋ : ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଆମେରିକା ୟୁକ୍ରେନ୍କୁ ଅନେକ ପର୍ଯ୍ୟାୟରେ ମୋଟ ୬୬ ବିଲିୟନ୍ ଡଲାରର ସହାୟତା ପ୍ରଦାନ କରିସାରିଲାଣି। ଆସନ୍ତା ୨୦ରେ ଆମେରିକାର ନୂଆ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ୍ ଯୁଦ୍ଧାବସାନ ଉପରେ ଜୋର୍ ଦେଉଛନ୍ତି। ଆଲୋଚନା ଜରିଆରେ ଏହାର ସମାଧାନ କରିବେ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ଏହାକୁ କ୍ରେମ୍ଲିନ୍ ପକ୍ଷରୁ ସ୍ବାଗତ କରାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ନିଜ ‘ଶାନ୍ତି ଜରିଆରେ ଶକ୍ତି’ ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଟ୍ରମ୍ପ୍ଙ୍କ ସହାୟତା ଲୋଡ଼ିଛନ୍ତି। ଜେଲେନ୍ସ୍କି ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେଶନ୍ (ନାଟୋ)ର ସୁରକ୍ଷା ଏବଂ ପାଶ୍ଚାତ୍ୟଠାରୁ ନିରାପତ୍ତା ଗ୍ୟାରେଣ୍ଟି ଆଶାରେ ଥିବାବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଟ୍ରମ୍ପ୍ଙ୍କ ସହ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଟ୍ରମ୍ପ୍ ଓ ପୁଟିନ୍ଙ୍କ ମଧ୍ୟରେ ଖୁବ୍ ଶୀଘ୍ର ଏକ ବୈଠକ ହୋଇପାରେ ବୋଲି କ୍ରେମ୍ଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେପଟେ କିଭ୍କୁ ସହାୟତା ପ୍ରଦାନ ବନ୍ଦ ନ କରିବା ପାଇଁ ଟ୍ରମ୍ପ୍ଙ୍କ ଉପରେ ଚାପ ସୃଷ୍ଟି ଉଦ୍ଦେଶ୍ୟରେ ଜେଲେନ୍ସ୍କି ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍ଙ୍କ ସହ ଜର୍ମାନୀରେ ଆଲୋଚନା କରିଛନ୍ତି।