ରାଜ୍ୟରେ ୫ ବର୍ଷରେ ପୂରଣ ହେବ ଦେଢ ଲକ୍ଷ ପଦବୀ

ରାଜ୍ୟରେ ୫ ବର୍ଷରେ ପୂରଣ ହେବ ଦେଢ ଲକ୍ଷ ପଦବୀ

ଭୁବନେଶ୍ବର: ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟରେ ୧ ଲକ୍ଷ ୫୦ ହଜାର ଖାଲି ପଡିଥିବା ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏବେ ରାଜ୍ୟରେ ମୋଟ ୧ ଲକ୍ଷ ୩୨ ହଜାର ୪୫୯ଟି ଖାଲି ପଦବୀ ରହିଛି । ଏହା ମଧ୍ୟରୁ ୯୨ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଦ୍ଵାରା ଅନୁମୋଦନ ମିଳି ସାରିଛି । ସେଥିରୁ ୭୮ ହଜାର ୯୧୯ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଆଗାମୀ ୨ ବର୍ଷ ମଧ୍ୟରେ ୬୫ ହଜାର ପଦବୀ ପୂରଣ କରାଯିବ । ବୁଧବାର ବିଧାନସଭାରେ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଗୃହରେ ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହା କହିଛନ୍ତି ।
ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି,‘‘ବେକାରୀ ବୃଦ୍ଧି ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଜୁଲାଇ ମାସ ପୂର୍ବର ସ୍ଥିତି । ଜୁଲାଇ ପରେ ବେକାରୀ ବୃଦ୍ଧି ସତ୍ୟ ଆଧାରିତ ନୁହେଁ । ବର୍ଷ ୨୦୨୨-୨୦୨୩ର ରିପୋର୍ଟ ଅନୁସାରେ ବେକାରୀ କ୍ଷେତ୍ରରେ ଜାତୀୟ ହାର ଠାରୁ ରାଜ୍ୟରେ ବେକାରୀ ହାର ଅଧିକ ଥିଲା । ଜାତୀୟ ହାର ୩.୨ ପ୍ରତିଶତ ଥିବା ବେଳେ ରାଜ୍ୟରେ ଏହି ହାର ୩.୯ ପ୍ରତିଶତ ଥିଲା । ଏବେ ନୂଆ ସରକାର ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି ।’’

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ବିରୋଧୀଙ୍କ ଭ୍ରମ ଧାରଣା ଯେ, ୨ ଲକ୍ଷ ୦୫ ହଜାର ପଦବୀ ଖାଲି ପଡ଼ିଛି । ୫ ବର୍ଷ ଭିତରେ ରାଜ୍ୟରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ କରିବାକୁ ଆମେ (ରାଜ୍ୟ ସରକାର) ପ୍ରତିଶ୍ରୁତିବଦ୍ଧ । ୯୨ ହଜାର ପଦବୀକୁ ସରକାର ଅନୁମୋଦନ ମଧ୍ୟ କରି ସାରିଛନ୍ତି । ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟ ସରକାର ୩୪ ହଜାର ୬୮୬ ସରକାରୀ ପଦବୀ ପୂରଣ କରିବେ । ସେଥିପାଇଁ ପ୍ରକ୍ରିୟା ଶେଷ ହୋଇଛି । ସମୁଦାୟ ୧ ଲକ୍ଷ ୩୨ ହାଜର ୪୫୯ ମୂଳ ପଦବୀ ଖାଲି ରହିଛି । ନିଯୁକ୍ତି ପ୍ରକ୍ରିୟାରେ ସ୍ୱଛତା ଆଣିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି ।’’